ନିର୍ମମ ହତ୍ୟା: ପେଟ୍ରୋଲ ଢାଳିଲେ, ଦରପୋଡା ଅବସ୍ଥାରେ ପିଟି ମାରିଦେଲେ
କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୁଣ୍ଡୁକଳା ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ଗୁରୁଚରଣ ମହନ୍ତଙ୍କ ପୁଅ ପ୍ରଣବ କୁମାର ମହାନ୍ତ (୨୫) ଙ୍କୁ ଦରପୋଡା ଅବସ୍ଥାରେ ପିଟି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହେଇଛି।
ସୂଚନା ଅନୁଯାୟୀ, ଗାଁ ଛକରେ ଥିବା ଶକ୍ତି ଦାସଙ୍କ ସହିତ ପ୍ରଣବର କୌଣସି କଥାକୁ ନେଇ ବଚସା ହୋଇଥିଲା । ଶକ୍ତି ଦାସଙ୍କୁ ପ୍ରଣବ ଏକ ଅସ୍ତ୍ର ସାହାଯ୍ୟରେ ପ୍ରହାର କରି ହାତକୁ ଗଭୀର ଆଘାତ କରିଥିଲା । ପରେ ଶକ୍ତି ଦାସ ଏବଂ ବାପା ଭୁବନ ଦାସ ରାଗ ତମ ତମ ହୋଇ ରାତିରେ ପ୍ରଣବ ଘରକୁ ଯାଇଥିଲେ। ପ୍ରଣବ କବାଟ ଝରକା ଲଗାଇ ଘର ଭିତରେ ଶୋଇପଡିଥିବାବେଳେ ଶକ୍ତି ଏବଂ ଭୁବନ ଦୁହେଁ ଏକ ବାଉଁଶ ବତା ସାହାଯ୍ୟରେ ଝରକା ପଟୁ ପ୍ରଣବକୁ କେଞ୍ଚି ଥିଲେ। ପ୍ରଣବ ନିଦରୁ ଉଠି ଖଟ ତଳକୁ ଚାଲିଯାଇଥିଲା। ସେତିକିରେ ଶକ୍ତି ଏବଂ ଭୁବନର ରାଗ ସରିନଥିଲା । ଶୁଖିଲା ଲଙ୍କା ଏବଂ ପେଟ୍ରୋଲ ଆଣି ଝରକା ପଟରୁ ଧୂଆଁ ଏବଂ ନିଆଁ ଘର ଭିତକୁ ପୁରାଇବା ପରେ ଦରପୋଡା ହୋଇ ପ୍ରଣବ ଘର ଭିତରୁ ବାହାରକୁ ଚାଲି ଆସିଥିବା ବେଳେ ବାଡି ସାହାଯ୍ୟରେ ପ୍ରଣବକୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପ୍ରଣବର ବଡ଼ ଭାଇ ପ୍ରକାଶ ମହାନ୍ତ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତି କରି ସଦର ଥାନା ଆଇଆଇସି ସୁନିଲ କୁମାର କର, ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
Powered by Froala Editor