କଳା କହି ଅପମାନ ଦେଉଥିଲେ, ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣିଦେଲା ପତ୍ନୀ

ସ୍ୱାମୀଙ୍କ ଅପମାନକୁ ସହି ନ ପାରି ନିଜ ସ୍ୱାମୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ପତ୍ନୀ । ଛତିଶଗଡର ଦୁର୍ଗ ଜିଲ୍ଲାର ଆମ୍ଲେଶ୍ୱର ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ପଚରାଉଚୁରା କରିବା ପରେ ଅଭିଯୁକ୍ତ ପତ୍ନୀ କହିଛନ୍ତି ଯେ ବିବାହ ପରେ ସ୍ୱାମୀ ମୋତେ ପ୍ରତିଦିନ ଅସୁନ୍ଦରୀ କହୁଥିଲେ। ତୁମେ କେତେ କଳା? ବେଳେବେଳେ ଦର୍ପଣରେ ନିଜ ଚେହେରା ଦେଖ । ସ୍ୱାମୀଙ୍କ ଏହି ଅପମାନକୁ ସହି ନ ପାରି ପତ୍ନୀ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ।
ପୁଲିସ କହିଛି ଯେ ମୃତ ଅନନ୍ତ ସୋନୱାନୀ(୪୦)ଙ୍କ ପ୍ରଥମ ପତ୍ନୀଙ୍କର ପ୍ରାୟ ଦୁଇ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେ ସଂଗୀତାଙ୍କୁ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ସଂଗୀତା ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କର ଚାରି ମାସର ଝିଅଟିଏ ଅଛି। ସଂଗୀତା ରବିବାର ରାତିରେ ଅନନ୍ତଙ୍କୁ ହତ୍ୟା କରିଥିଲେ । ସୋମବାର ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ସେ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ପୁଲିସ ପଚରାଉଚରା କରିଥିଲା, ସେ ନିଜ ଅପରାଧ ସ୍ୱୀକାର କରିଥିଲେ । ମହିଳାଙ୍କୁ କୋର୍ଟରେ ହାଜର କରାଯିବା ପରେ ତାଙ୍କ ଚାରି ମାସର ଝିଅ ସହିତ ଜେଲକୁ ପଠାଯାଇଛି।
Powered by Froala Editor