ଦ. ଆଫ୍ରିକା ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା, ହଟିଲେ ଏହି ୩ ଖେଳାଳି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଚଳିତ ମାସ ୨୮ ତାରିଖରେ ଥିରୁଭାନନ୍ତପୁରମଠାରେ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ମିଳିଛି। ଆହତଜନିତ ସମସ୍ୟା କାରଣରୁ ଦୀପକ ହୁଡ୍ଡା ଏବଂ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାଦ୍ ପଡିଛନ୍ତି। ଅନ୍ୟପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଏହି ତିନି ଖେଳାଳି ଦଳରେ ନହେବା ସିରିଜ୍ରେ ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ।
ପିଟିଆଇ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିଛି। ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି। ଉମେଶ ଯାଦବ ଦଳ ସହିତ ସୋମବାର ଥିରୁଭାନନ୍ତପୁରମ ପହଞ୍ଚିଛନ୍ତି।
କୋଭିଡ-୧୯ରୁ ମୁକୁଳି ନ ଥିବାରୁ ଦ୍ରୁତ ବୋଲର ମହମ୍ମଦ ଶାମି ଓହରି ଯାଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦୀପକ ହୁଡ୍ଡା ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଖେଳିପାରିବେ ନାହିଁ। ତେଣୁ ଦଳରେ ବେଙ୍ଗଲ ଅଲ୍ରାଉଣ୍ଡର ଶାହବାଜ ଅହମଦ ଏବଂ ଶ୍ରେୟସ ଆୟାରଙ୍କୁ ସାମିଲ କରାଯାଇଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ।
Powered by Froala Editor