ଆଇସିସିର ବଡ଼ ଘୋଷଣା : 'ଦ ଓଭାଲ' ଏବଂ 'ଲର୍ଡସ' ମଇଦାନରେ ଖେଳାଯିବ ୨୦୨୩ ଓ ୨୦୨୫ର ଫାଇନାଲ୍ ମ୍ୟାଚ୍
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଏକ ବଡ଼ ଘୋଷଣା କରିଛି। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ୨୦୨୫ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବ। ଏନେଇ ଆଇସିସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟୋଫ ଏଲାର୍ଡିସ୍ କହିଛନ୍ତି, ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ର ଆୟୋଜନ ଦ ଓଭାଲରେ କରାଯିବା ନେଇ ଆମେ ଖୁସି ଅଛୁ। ଏହି ଗ୍ରାଉଣ୍ଡ ଏମିତି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ସର୍ବୋତ୍ତମ। ପୁଣି ୨୦୨୫ ଫାଇନାଲ୍ରେ ଲର୍ଡ୍ସରେ ଖେଳାଯିବ। ଟାଇଟଲ୍ ମୁକାବିଲା ପାଇଁ ଲର୍ଡ୍ସ ପରି ଐତିହାସିକ ମଇଦାନ ଆଉ ହୋଇନପାରେ।
ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଗତ ବର୍ଷର ଫାଇନାଲ ଅତ୍ୟନ୍ତ ରୋମାଞ୍ଚକ ଥିଲା ଏବଂ ମୁଁ ନିଶ୍ଚିତ ଯେ 'ଦ ଓଭାଲ'ରେ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲକୁ ବିଶ୍ୱର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିବେ। ଆଇସିସି ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି। ତେବେ ୨୦୨୩ ଏବଂ ୨୦୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ସ୍ଥାନ ଘୋଷଣା କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାରିଖ ନିଶ୍ଚିତ ହୋଇନାହିଁ। ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ମୁକାବିଲାର ତାରିଖ ଆଗାମୀ ସମୟରେ କରାଯିବ।
Powered by Froala Editor