‘ଲୋ-ଫ୍ଲୋର୍’ ବସ୍ କିଣା ଦୁର୍ନୀତିର ତଦନ୍ତ କରିବ ସିବିଆଇ

‘ଦିଲ୍ଲୀ ପରିବହନ ନିଗମ’ (ଡିଟିସି) ପାଇଁ ୧୦୦୦ଟି ‘ଲୋ-ଫ୍ଲୋର୍’ ବସ୍ କିଣାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆସିଥିଲା। ଯାହାର ତଦନ୍ତ କରିବ ସିବିଆଇ । ଏନେଇ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଏଲ୍ଜି ତଥା ଉପ-ରାଜ୍ୟପାଳ ଭିକେ ସାକ୍ସେନା। ଡିଟିସି ଦ୍ୱାରା ଏକ ହଜାର ଲୋ-ଫ୍ଲୋର୍ ବସ୍ କିଣିରେ ହୋଇଥିବା ଦୁର୍ନୀତିର ଯାଞ୍ଚ ସିବିଆଇକୁ ପଠାଇବାକୁ ସେ ମଞ୍ଜୁରୀ ଦେଇଛନ୍ତି।
ବସ୍ କିଣା ଦୁର୍ନୀତି ଅଭିଯୋଗ ଉପରାଜ୍ୟପାଳଙ୍କ ସଚିବାଳୟ ଅଫିସ୍ ଗ୍ରହଣ କରିଥିଲା। ଚଳିତ ବର୍ଷ ଜୁନ୍ ମାସରେ ସାକ୍ସେନାଙ୍କୁ ସମ୍ବୋଧନ କରି ଲିଖତ ଅଭିଯୋଗରେ ଉଲ୍ଲେଖ ଅଛି ଯେ, ‘ଦିଲ୍ଲୀ ପରିବହନ ନିଗମ’ ନିମନ୍ତେ ବସ୍ ପାଇଁ ‘ଟେଣ୍ଡର୍’ ଓ ଖରିଦ କମିଟିର ଅଧ୍ୟକ୍ଷ ଭାବେ ପରିବହନ ମନ୍ତ୍ରୀଙ୍କ ନିଯୁକ୍ତି ଯୋଜନାବଦ୍ଧ ଭାବେ କରାଯାଇଥିଲା। ଦୁର୍ନୀତି କରିବାରେ ସୁବିଧା ହେବା ନିମନ୍ତେ ହିଁ ଏ ଭଳି କରାଯାଇଥିବା କଥା ମଧ୍ୟ ଅଭିଯୋଗକାରୀ କହିଛନ୍ତି।
ତେବେ ଗତ ବର୍ଷ ଅଭିଯୋଗ ପରେ ବସ୍ କିଣା ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା। କିନ୍ତୁ ଉପରାଜ୍ୟପାଳ ଏହି ଅଭିଯୋଗକୁ ଜୁଲାଇ ୨୨ରେ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇଥିଲେ। ୧୯ ଅଗଷ୍ଟରେ ମୁଖ୍ୟ ଶାସନ ସଚିବ ତାଙ୍କ ରିପୋର୍ଟ ପଠାଇଥିଲେ। ଏଥିରେ ଟେଣ୍ଡର ପ୍ରକ୍ରିୟାରେ ଗୁରୁତର ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଥିଲା। CVC ନିର୍ଦ୍ଦେଶାବଳୀ ଏବଂ ସାଧାରଣ ଆର୍ଥିକ ନିୟମର ଚରମ ଉଲ୍ଲଂଘନ ହୋଇଥିବା କୁହାଯାଇଥିଲା। ଡିଟିସିର ଡେପୁଟି କମିଶନରଙ୍କ ରିପୋର୍ଟରେ ମଧ୍ୟ ସମାନ ଦୁର୍ନୀତି କଥା ଉଲ୍ଲେଖ କରାଯାଇଥିଲା। ଏହା ପରେ ଏବେ ସାକ୍ସେନା ସିବିଆଇକୁ ଏହି ଅଭିଯୋଗ ପଠାଇଛନ୍ତି।
Powered by Froala Editor