ବଦଳିଲା ଇତିହାସ : ରାଜପଥ ହେଲା କର୍ତ୍ତବ୍ୟ ପଥ
ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍ ଯାଏ ଲମ୍ବିଥିବା କର୍ତ୍ତବ୍ୟ ପଥକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପୂର୍ବରୁ ରାଜପଥ ନାଁରେ ଏହି ମାର୍ଗ ଜଣାଶୁଣା ଥିବା ବେଳେ ଆଜି ଠାରୁ ଏହାର ନାଁ କର୍ତ୍ତବ୍ୟ ପଥ ହୋଇ ଯାଇଛି। ଏବେ ଏହା କର୍ତ୍ତବ୍ୟ ପଥ ନାଁରେ ଜଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ ସେଣ୍ଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନାରେ ସାମିଲ କାର୍ଯ୍ୟକର୍ତ୍ତାଙ୍କ ସହ କଥା ହୋଇଛନ୍ତି ।
ଏବେ ଇଂରେଜମାନଙ୍କ ରାଜପଥ ଇତିହାସରେ ପରିଣତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ ରାଜପଥର ନାଁ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହି ରାସ୍ତାକୁ କିଙ୍ଗ୍ସ ୱେ ବୋଲି କୁହାଯାଉଥିଲା। ଦେଶ ସ୍ୱାଧୀନ ହେବା ପରେ ୧୯୫୫ରେ ଏହାର ନାଁ ବଦଳାଯାଇ ରାଜପଥ ରଖାଯାଇଥିଲା। ଆଉ ଏବେ ଏହାର ନାଁ କର୍ତ୍ତବ୍ୟପଥକୁ ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଦିନ ମଧ୍ୟ ସୂଚନା ଦେଇଥିଲେ।
ସେହିପରି ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ୨୮ ଫୁଟ୍ ଉଚ୍ଚର ଏହି ପ୍ରତିମୂର୍ତ୍ତିକୁ ଗୋଟିଏ ଗ୍ରାନାଇଟ୍ ପଥରରେ ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ ଏହାକୁ ନିର୍ମାଣ କରିବା ପାଇଁ ୨୬ ହଜାର ଘଣ୍ଟ ସମୟ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ରଖିଥିଲେ । ଏବେ ଏହି ସ୍ଥାନରେ ନେତାଜୀଙ୍କ ବିଶାଳ ମୂର୍ତ୍ତିର ଅନାବରଣ କରାଯାଇଛି।
Powered by Froala Editor