ଅତ୍ୟଧିକ ଆଣ୍ଟିବାୟୋଟିକ ଟାବ୍ଲେଟ୍ ଖାଉଛନ୍ତି ଭାରତୀୟ, ଆଜିଥ୍ରୋମାଇସିନ୍ ର ସର୍ବାଧିକ ବ୍ୟବହାର
ଭାରତୀୟ ଅତ୍ୟଧିକ ମାତ୍ରାରେ ଆଣ୍ଟିବାୟୋଟିକ ଟାବ୍ଲେଟ୍ର ବ୍ୟବହାର କରୁଛନ୍ତି ବୋଲି ଏକ ଗବେଷଣାରେ ପ୍ରକାଶ ପାଇଛି। ୨୦୧୯ରେ ଭାରତୀୟମାନେ ୫୦୦ କୋଟିରୁ ଅଧିକ ଆଣ୍ଟିବାୟୋଟିକ ଟାବ୍ଲେଟ୍ ବ୍ୟବହାର କରିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ସେଥିମଧ୍ୟରୁ ଆଜିଥ୍ରୋମାଇସିନ୍କୁ ସର୍ବାଧିକ ବ୍ୟବହାର କରାଯାଇଥିଲା। ‘ଆଜିଥ୍ରୋମାଇସିନ୍’ ଭଳି ଆଣ୍ଟିବାୟୋଟିକ୍ର ମାତ୍ରାଧିକ ବ୍ୟବହାର କରୁଥିବା କଥା ‘ଲାନ୍ସେଟ୍ ରିଜିଓନାଲ୍ ହେଲ୍ଥ୍-ସାଉଥ୍ଇଷ୍ଟ୍ ଏସିଆ’ରେ ପ୍ରକାଶିତ ଗବେଷଣା ଆଲେଖ୍ୟରୁ ଜଣାପଡ଼ିଛି।
ଆଲେଖ୍ୟରେ ଉଲ୍ଲେଖ ଅଛି, ଏଥିରୁ ଅଧିକାଂଶ ଔଷଧକୁ ‘ସେଣ୍ଟ୍ରାଲ୍ ଡ୍ରଗ୍ ରେଗୁଲେଟର୍’ର ଅନୁମୋଦନ ମିଳିନାହିଁ। ତେଣୁ, ଏହି ଔଷଧଗୁଡ଼ିକ ନିମନ୍ତେ ଉଲ୍ଲେଖଯୋଗ୍ୟ ନୀତି ଏବଂ ନିୟନ୍ତ୍ରଣରେ ସଂସ୍କାର ଅଣାଯିବା ଉଚିତ।
ଆହୁରି ମଧ୍ୟ କୁହାଯାଇଛି ଯେ, ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତରେ ମୁଣ୍ଡପିଛା ଆଣ୍ଟିବାୟୋଟିକ୍ ଖାଇବା ହାର ଅପେକ୍ଷାକୃତ କମ୍। କିନ୍ତୁ, ଏକାଧିକ ରୋଗ ପାଇଁ ପ୍ରଯୁଜ୍ୟ ଆଣ୍ଟିବାୟୋଟିକ୍ର ବ୍ୟବହାର ଭାରତରେ ବହୁଳ ମାତ୍ରାରେ ହେଉଛି। ତେଣୁ, ତାହାକୁ ନିୟନ୍ତ୍ରଣ କରିବା ସହ ତା’ର ବ୍ୟବହାର ହ୍ରାସ କରାଯିବା ଉଚିତ ବୋଲି ଉକ୍ତ ଅଧ୍ୟୟନରେ ଉଲ୍ଲେଖ ଅଛି।
Powered by Froala Editor