ଦେଶରେ ୫,୩୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ବିଗତ କିଛି ଦିନ ହେଲା ଦୈନିକ ୧୦ ହଜାରରୁ କମ୍ ପଜିଟିଭ ମାମଲା ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୫,୩୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୪,୪୧୭ ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୭,୦୯୪ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୮,୯୩,୫୯୦ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦,୫୯୪ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୬୭% ରହିଛି ଏବଂ ସାପ୍ତାହିକ ପଜିଟିଭ ହାର ୨.୦୦%କୁ ହ୍ରାସ ପାଇଛି । ଏବେସୁଦ୍ଧା ଦେଶରେ ୮୮.୮୦ କୋଟି କୋରୋନା ଟେଷ୍ଟିଂ କରାଯାଇଛି । ଗତ ୨୪ ଘଣ୍ଟାରେ ୩,୨୧,୯୧୭ ଟେଷ୍ଟିଂ ହୋଇଛି । ଆଜି ପର୍ୟ୍ୟନ୍ତ ୫,୨୮,୦୫୭ ହଜାର କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
Powered by Froala Editor