ପଜିଟିଭ ଚିନ୍ତାଧାରା ବଢ଼ାଏ ଆତ୍ମବିଶ୍ୱାସ
ଅନେକଙ୍କଠାରେ ଶାରୀରିକ କ୍ଷମତା ଥିଲେ ସୁଦ୍ଧା ସଫଳତା ହାସଲ କରିବା କଷ୍ଟ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ନକାରାତ୍ମକ ମାନସିକତା। କାରଣ ଜୀବନରେ ସଫଳତା ପାଇବାକୁ ହେଲେ ସର୍ବପ୍ରଥମେ ମଣିଷକୁ ମାନସିକ ସ୍ତରରେ ସୁଦୃଢ଼ ହେବା ଆବଶ୍ୟକ, ଯେଉଁଥିପାଇଁ ଲୋଡ଼ା ସକାରାତ୍ମକ ଭାବନା। ଯଦି ଲକ୍ଷ୍ୟ ହାସଲକୁ ନେଇ ମନରେ ନକାରାତ୍ମକ ଭାବନା ଆସୁଛି, ତେବେ ଜାଣିରଖନ୍ତୁ …
ଆଗକୁ ବଢ଼ିବାର ବାଟ କଢ଼ାଏ: ବେଳେବେଳେ ସାମାନ୍ୟ ବିଫଳତାରେ ମଣିଷ ଭାଙ୍ଗିପଡ଼େ। ଆଉ ଆଗକୁ କିପରି ବଢ଼ିବି, ଯଦି ପୁନର୍ବାର ବିଫଳ ହୁଏ ଲୋକେ କ’ଣ କହିବେ, ମୋ ଦ୍ୱାରା ଏହି କାର୍ଯ୍ୟ ଅସମ୍ଭବ ଭଳି ନକାରାତ୍ମକ ଭାବନା ମଣିଷକୁ ନିରାଶ କରିଥାଏ। ଫଳରେ କ୍ୟାରିୟରକୁ ମଜଭୁତ କରିବା କଷ୍ଟସାଧ୍ୟ ହୋଇପଡ଼େ। ହେଲେ ଯେକୌଣସି ପରିସ୍ଥିତିରେ ବି ଯଦି ଭାବନା ସକାରାତ୍ମକ ହୁଏ, ଅର୍ଥାତ୍ ମୁଁ ନିଶ୍ଚେ ପାରିବି, ମୋ ଦ୍ୱାରା କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଇତ୍ୟାଦି ଭାବନା ଆତ୍ମବଳ ବଢ଼ାଏ, ଯାହାକି ମଣିଷକୁ ଆଶାବାଦୀ କରିଥାଏ ଏବଂ କଳେବଳେ କୌଶଳେ ସଫଳତା ଦିଗରେ ଆଗେଇ ଯିବାକୁ ବାଟ ଖୋଜିବାରେ ସାହାଯ୍ୟ କରିଥାଏ।
ସଫଳତାର ମୂଳମନ୍ତ୍ର ସକାରାତ୍ମକ ଚିନ୍ତା: ସକାରାତ୍ମକ ଚିନ୍ତାର ଶକ୍ତି ଖୁବ୍ ଅଧିକ। ଏହା ଜଣଙ୍କୁ ଯେକୌଣସି ଅପ୍ରୀତିକର ଏବଂ କଷ୍ଟକର ପରିସ୍ଥିତିରୁ ମଧ୍ୟ ମୁକୁଳି ଆସିବାର ସାହସ ଯୋଗାଇ ଦେଇଥାଏ। ୟୁନିଭର୍ସିଟି ଅଫ୍ ନର୍ଥ କରୋଲିନାର ମନୋବିଜ୍ଞାନ ଗବେଷକ ବାର୍ବାରା ଫେଡ୍ରିକ୍ସନ୍ଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ମୁତାବକ ସକାରାତ୍ମକ ଚିନ୍ତାଧାରା ଏକ ସଫଳ କ୍ୟାରିୟର ଗଢ଼ିବାର ମୂଳମନ୍ତ୍ର।
ଦୂର କରେ ମାନସିକ ଚାପ: କୌଣସି କାର୍ଯ୍ୟକୁ ନେଇ ଚିନ୍ତା, ଚାପ କିମ୍ବା ବିଫଳତାର ଅବସାଦ ରହିଲେ ବାରମ୍ବାର ମନ ଭାରାକ୍ରାନ୍ତ ହୋଇପଡ଼େ ଏବଂ ସେଇଠୁ ନକାରାତ୍ମକ ଭାବନା ଆସେ। ହେଲେ ଏହି ସମୟରେ ମନକୁ ଦୃଢ଼ ରଖି ସକାରାତ୍ମକ ଚିନ୍ତା କଲେ ଏଭଳି ସମସ୍ୟାକୁ ଦୂର କରି ଆଗେଇଯିବାର ସାହସ ଯୋଗାଇଥାଏ, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କୁ ନା କେବଳ ସଫଳତା ଆଣିଦିଏ ବରଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଅର୍ଥାତ୍ ଆପଣଙ୍କ ବ୍ୟବହାର ଏବଂ ଚିନ୍ତାଧାରାରେ ଅନ୍ୟମାନେ ମଧ୍ୟ ଉପକୃତ ହେଉଥିବାରୁ ଆପଣଙ୍କୁ ସେମାନେ ନିଜର ଆଦର୍ଶ ବା ରୋଲମଡେଲ୍ ଭାବେ ମଧ୍ୟ ଗ୍ରହଣ କରିଥାଆନ୍ତି।
ବଢ଼ାଏ ଆତ୍ମବିଶ୍ୱାସ: ପାଠପଢ଼ା ହେଉ ଅବା ଚାକିରି, ପ୍ରତ୍ୟେକ କ୍ଷେତ୍ରରେ ଜଣେ ଭଲ ପ୍ରଦର୍ଶନ କରିବାକୁ ଚାହେଁ। ହେଲେ କେବେକେବେ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଏମିତି ହେଲେ ହାର୍ ମାନି ଭାଗ୍ୟର ଦୋଷ ଦେଇ ବସିଯିବା ବଦଳରେ ବାରମ୍ବାର ଚେଷ୍ଟା କରନ୍ତୁ। ମନେରଖନ୍ତୁ, ଯଦି କୌଣସି ପ୍ରକାରର ଭାବନା ବା ଚିନ୍ତା ଆପଣଙ୍କୁ ଆଗକୁ ବଢ଼ିବାକୁ ମାନସିକ ସ୍ତରରେ ପ୍ରତିରୋଧ କରୁଛି, ତେବେ ସର୍ବପ୍ରଥମେ ତାହାକୁ ଦୂର କରନ୍ତୁ। ନିଜ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ମନରେ ସକାରାତ୍ମକ ଭାବନା ଆଣିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆପଣ ଯୋଗ, ପ୍ରାଣାୟାମ ଆଦି କରିପାରିବେ। ବିଫଳତାରୁ ସଫଳ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନୀ ପଢ଼ିପାରିବେ। ଏହା ମଧ୍ୟ ଆପଣଙ୍କ ମନୋବଳ ବଢ଼ାଇବ ଏବଂ ସଫଳ ହେବା ଲାଗି ଉତ୍ସାହ ଓ ସକାରାତ୍ମକ ଭାବନା ସଞ୍ଚାର କରିବ।
Powered by Froala Editor