ଖାଦ୍ୟ ପରଷୁଥିଲେ ଦଳିତ ଛାତ୍ରୀ, ରାଗରେ ଫିଙ୍ଗିଦେଲେ ରୋଷେୟା
କିଛିଦିନ ତଳେ ଶିକ୍ଷକଙ୍କ ପାଣି ଢାଳରେ ହାତ ମାରିଦେବାରୁ ୯ ବର୍ଷର ଦଳିତ ଛାତ୍ରକୁ ପିଟିପିଟି ମାରିଦେଇଥିଲେ ଶିକ୍ଷକ। ଏହାକୁ ନେଇ ରାଜ୍ୟ ଠାରୁ କେନ୍ଦ୍ର ସବୁଠି ହୋହଲ୍ଲା ହୋଇଥିଲା। ଏବେ ପୁଣି ସେହି ରାଜସ୍ଥାନରୁ ଆଉ ଏକ ଜାତିଆଣ ଆକ୍ଷେପର ଘଟଣା ସମ୍ନାକୁ ଆସିଛି। ସ୍କୁଲର ରୋଷେୟା ଖାଦ୍ୟ ପରଷିବା ପାଇଁ ଆସିଥିବା ଦୁଇ ଦଳିତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ରୋଷେୟାଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ଉଦୟପୁର ଗୋଗୁନ୍ଦା ଅଞ୍ଚଳରେ ରହିଛି ଭାରୋଡି ଉଚ୍ଚ ପ୍ରାଥମିକ ସ୍କୁଲ। ଏହି ସ୍କୁଲରେ ପ୍ରତିଦିନ ଦୁଇ ଜଣ ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରଷିବା ପାଇଁ ଦାୟିତ୍ୱ ଦିଆଯାଏ। ଶୁକ୍ରବାର ଦିନ ଏହି ଦାୟିତ୍ୱ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦୁଇ ଦଳିତ ଛାତ୍ରୀଙ୍କୁ ମିଳିଥିଲା। ଦୁଇ ଛାତ୍ରୀ ଖାଦ୍ୟ ଆଣିବା ପାଇଁ ରୋଷେଇ ଘରକୁ ଯାଇଥିଲେ। ଏହା ଦେଖି ରୋଷେୟା ଲାଲାରାମ ଗୁର୍ଜର ପ୍ରଥମେ ସେମାନଙ୍କ ଜାତି କ’ଣ ବୋଲି ପଚାରିଥିଲେ। ଦୁଇ ଛାତ୍ରୀ ଦଳିତ ବୋଲି ଜାଣିବା ପରେ ସେମାନେ ଧରିଥିବା ଖାଦ୍ୟକୁ ଫିଙ୍ଗି ଦେଇଥିଲେ ରୋଷେୟା। ଏହାକୁ ନେଇ ଛାତ୍ରୀମାନେ ବିରୋଧ କରିଥିଲେ। କିନ୍ତୁ କେହି ଶୁଣିନଥିଲେ।
ଏହାପରେ ପୀଡ଼ିତା ଛାତ୍ରୀ ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇ ଥିଲେ। ତାଙ୍କ ପରିବାର ଲୋକ ସ୍କୁଲ୍କୁ ଆସି ରୋଷେୟା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ଏହି ଘଟଣାରେ ଗୌଣ୍ଡା ଥାନାରେ ଏକ ମାମଲା ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ଘଟଣା ସତ ବୋଲି ଜଣାପଡ଼ିଛି। ଖବର ଅନୁସାରେ ରୋଷେୟା ଖାଦ୍ୟ ପରଷୁଥିବା ବେଳେ ଦଳିତ ପିଲାଙ୍କୁ କମ୍ ଓ ଉଚ୍ଚଜାତୀର ପିଲାଙ୍କୁ ଅଧିକେ ଦେଉଥିଲା। ଏନେଇ ଅଭିଯୋଗ ହେବା ପରେ ଶିକ୍ଷକ ଦଳିତ ଛାତ୍ରୀଙ୍କୁ ଖାଦ୍ୟ ପରଷିବାକୁ କହିଥିଲେ। ଏହାପରେ ରୋଷେୟା ଏମିତି କାଣ୍ଡ ଘଟାଇଥିଲା ବୋଲି ପୁଲିସ ସୂଚନା ଦେଇଛି।
Powered by Froala Editor