ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ୧୦ ଜିଲ୍ଲାରେ ଅଧିକ କ୍ଷୟକ୍ଷତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିକଟରେ ହସ୍ତଗତ ହୋଇଛି ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ । ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟର ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏଥିଯୋଗୁଁ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ସେଥିମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି । ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି । କଟକ, ଭଦ୍ରକ, ଯାଜପୁର, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି । ଗତକାଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ସଅଳ କିସମ ଫସଲର ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ପ୍ରଭାବିତ ଅଞ୍ଚଳରେ ଡାଲିଜାତୀୟ ବିହନ ସେପ୍ଟେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେବା ସବୁ ଚାଷୀମାନଙ୍କୁ ହାଇବ୍ରିଡ଼ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇପାରିବ ତା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।ସେପ୍ଟେମ୍ବର ସୁଦ୍ଧା ଚାଷୀମାନଙ୍କୁ ଚିନାବାଦମ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବ୍ଶୀଘ୍ର ଫସଲବୀମା କ୍ଷତିପୂରଣ ରାଶି ଦେବାକୁ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରିବା ପାଇଁ ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିବାବେଳେ, ରବି ଫସଲ ନିମନ୍ତେ ନଭେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
Powered by Froala Editor