ଅର୍ଥନୀତିଜ୍ଞ ଅଭିଜିତ୍ ସେନଙ୍କ ଦେହାନ୍ତ
ନୂଆଦିଲ୍ଲୀ: ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ୍ ସେନ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଅର୍ଥନୀତିଜ୍ଞ ଅଭିଜିତ୍ ସେନ୍ ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଥିଲେ । ଏହାସହିତ ସେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଅଗ୍ରଣୀ ବିଶେଷଜ୍ଞ ମଧ୍ୟ ଥିଲେ । ସୋମବାର ରାତି ପ୍ରାୟ ୧୧ଟା ସମୟରେ ହୃଦଘାତରେ ସେ ପ୍ରାଣ ହରାଇଥିବା ନେଇ ତାଙ୍କ ଭାଇ ପ୍ରଣବ ସେନ୍ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ରାତି ପ୍ରାୟ ୧୧ଟା ସମୟରେ ଅଭିଜିତ୍ ସେନ ହୃଦଘାତରେ ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେ ଆଖି ବୁଜିଥିଲେ । ଚାରି ଦଶକରୁ ଅଧିକ ସମୟ ଧରି ସେ ଦିଲ୍ଲୀ ସ୍ଥିତ ଜବହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ଅର୍ଥନୀତି ପଢାଇଥିଲେ । ଏହାବ୍ୟତୀତ ସେ କମିଶନ ଅଫ୍ ଅଗ୍ରିକଲଚରାଲ କଷ୍ଟ ଆଣ୍ଡ ପ୍ରାଇସ ସମେତ ଅନେକଗୁଡିଏ ସରକାରୀ ପଦବୀରେ ରହିଥିଲେ ।ନୂଆଦିଲ୍ଲୀର ଏକ ବଙ୍ଗୀୟ ପରିବାରରେ ଅଭିଜିତ ସେନ ଜନ୍ମଗ୍ରହଣ କରିଥିଲେ । ସେ ସର୍ଦ୍ଦାର ପଟେଲ ବିଦ୍ୟାଳୟ ଏବଂ ସେଣ୍ଟ ଷ୍ଟିଫେନ କଲେଜରୁ ପଦାର୍ଥ ବିଜ୍ଞାନରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୮୧ ମସିହାରେ କାମ୍ବ୍ରିଜ ବିଶ୍ବବିଦ୍ୟାଳରେ ଅର୍ଥନୀତିରେ ପିଏଚଡି ସମାପ୍ତ କରିଥିଲେ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୪ରୁ ୨୦୧୪ ପର୍ୟ୍ୟନ୍ତ ଅଭିଜିତ ଯୋଜନା ଆୟୋଗର ସଦସ୍ୟ ରହିଥିଲେ ।
Powered by Froala Editor