୧୭ଟି ଠିକଣାରେ ଚଢଉ, ଝାଡ଼ଖଣ୍ଡ CMଙ୍କ ସମ୍ପର୍କୀୟଙ୍କ ଘରୁ ୨ଟି AK-47 ଜବତ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ୧୭ଟି ଠିକଣା ଉପରେ ଚଢଉ କରିଛି। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଛି। ତାଙ୍କ ଘରର ଲୁହା ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଇଡି ପ୍ରେମ ପ୍ରକାଶଙ୍କ ନାଁରେ ଆର୍ମିସ ଆକ୍ଟରେ ମାମଲା କରିଥିବା ଜଣାପଡ଼ିଛି। ଏହାକୁ ନେଇ ବର୍ତ୍ତମାନ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ହେମନ୍ତ କିମ୍ବା ପ୍ରେମ ପ୍ରକାଶ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ। ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧିଙ୍କ ସମେତ ଆଉ କିଛି ସହଯୋଗୀଙ୍କ ମୋଟ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ୧୧.୮୮ କୋଟି ଟଙ୍କା ଜବତ କରିଛି ଇଡି।
ସେପଟେ ବିହାରରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି। ଚାକିରୀ ବଦଳେ ଜମି ମାମଲାରେ ଚାଲିଥିବା ଏହି ଚଢଉ ପ୍ରାୟ ୨୪ଟି ସ୍ଥାନରେ ହୋଇଛି। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି।
Powered by Froala Editor