୨୫୦ ଟଙ୍କା ପାଇଁ ଅମଣିଷ ହୋଇଗଲା ଶିକ୍ଷକ, ତୃତୀୟ ଶ୍ରେଣୀ ପିଲାକୁ ପିଟି ମାରିଦେଲା
ଜଣେ ଶିକ୍ଷକ ମାତ୍ର ୨୫୦ ଟଙ୍କା ପାଇଁ ଏମିତି ଅମଣିଷ ପାଲଟିଗଲା ଯେ, ତୃତୀୟ ଶ୍ରେଣୀ ପିଲାଟିର ଜୀବନ ନେଇଗଲା । ଏମିତି ଚାଞ୍ଚଲ୍ୟକର ଘଟଣା ଉତ୍ତର ପ୍ରଦେଶର ବହରାଇଚର ସିରସିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଶିକ୍ଷକଙ୍କ ମାଡରେ ପୁଅର ମୃତ୍ୟୁ ଘଟିଛି। ପିଲାଟି ଗାଁ ପାଖ ସ୍କୁଲରେ ପଢୁଥିଲା। ଫି କାରଣରୁ ପିଲାଟିକୁ ଶିକ୍ଷକ ମାଡ ମାରିବାରୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।
ମୃତକଙ୍କ ଭାଇ ରାଜେଶ ବିଶ୍ଵକର୍ମା କହିଛନ୍ତି, ମୋ ଭାଇଙ୍କୁ ସ୍କୁଲ ଶିକ୍ଷକ ୨୫୦ ଟଙ୍କା ମାସିକ ସ୍କୁଲ ଫି କାରଣରୁ ପିଟିଥିଲେ। ମୁଁ ଭାଇର ଅନଲାଇନ୍ ସ୍କୁଲ୍ ଫି ଭରିଥିଲି। ମାତ୍ର ଶିକ୍ଷକ ଏହା ଜାଣିନଥିଲେ। ତାଙ୍କୁ ଲାଗିଲା ଯେ, ପିଲାଟି ସ୍କୁଲ୍ ଫି ଭରି ନାହିଁ। ଏହି କାରଣରୁ ସେ ଭାଇଙ୍କୁ ଖୁବ୍ ପିଟିଥିଲେ। ଭାଇର ହାତ ଭାଙ୍ଗି ଦେଇଥିଲେ। ଏସପିଙ୍କ ଅନୁଯାୟୀ, ମୃତକ ପିଲାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ପୋଲିସ୍ ମାମଲାର ଯାଞ୍ଚ କରୁଛି।
ଦେଶରେ ଦଣ୍ଡମୁକ୍ତ ଶିକ୍ଷାର ପ୍ରଚାର କରାଯାଉଛି । ହେଲେ ଏଭଳି ଶିକ୍ଷକଙ୍କ ପାଇଁ ସବୁକିଛି ନୀତିନିୟମ ତୁଚ୍ଛ ପାଲଟିଛି । ତେଣୁ ଏହି ଘଟଣା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Powered by Froala Editor