ଧୀରେ ଧୀରେ ଖସୁଛି ଜଳସ୍ତର, ହେଲେ ଡ଼ରାଉଛି ଲଘୁଚାପ
ଭୁବନେଶ୍ୱର: ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷା ସମ୍ଭାବନା ଦେଖାଦେଇଛି। ଏହି ବର୍ଷା ୩ ଦିନ ଧରି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପିକ୍ ଫ୍ଲଡ୍ କମିବାରେ ଲାଗିଛି । ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି । ତଥାପି ସମସ୍ତେ ସତର୍କ ରହିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା । ମହାନଦୀରେ ଏଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ତେବେ ଘଳିଆ ପଡିଥିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଥିବା ଏସଆରସି ପ୍ରେସମିଟରେ ସୂଚନା ଦେଇଛନ୍ତି ।
ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣାଧୀନ ହେଉଥିବା ବେଳେ ଦକ୍ଷିଣ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଥିବା ଘୂର୍ଣ୍ଣିବଳୟ ଚିନ୍ତା ବଢ଼ାଇଲାଣି। ଫଳରେ ସ୍ଥିତି ପୁଣି ଥରେ ଅଣାୟତ୍ତ ହେବା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ଲଘୁଚାପ ନେଇ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ କରାଇଛନ୍ତି SRC । ଏହି ସବୁ ଜିଲ୍ଲା ବୈତରଣୀ ନଦୀ ଅବବାହିକାରେ ଆସୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି SRC । ଏହି ଲଗାଣ ବର୍ଷା ୩ ଦିନ ଲାଗି ରହିବା ପରେ ୨୧ରୁ ବର୍ଷା ପରିମାଣ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଚଳିତ ବନ୍ୟାରେ ଏଯାଏଁ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ । ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୪୨୫ ଗାଁ ଜଳଘେରରେ ରହିଛି । ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ଏସଆରସି କହିଛନ୍ତି । ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି.ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦର ୪୦ ଗେଟ୍ ଖୋଲାରହିବ ଏବଂ ବର୍ଷା ସ୍ଥିତିକୁ ନେଇ ହୀରାକୁଦ ଗେଟ୍ ବନ୍ଦ ନେଇ ବିଚାର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମରୁ ଏବେ ୪୦ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ହେଉଛି।
Powered by Froala Editor