ତେଲ ଟ୍ୟାଙ୍କର ସହ ଧକ୍କା ହେଲା ବସ୍, ଜଳିଗଲେ ୨୦ ଜଣ

ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଯାତ୍ରୀବାହୀ ବସ ଏବଂ ଏକ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଲାହୋରଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଥିବା ମୁଲତାନରେ ଏକ ଯାତ୍ରୀବାହୀ ବସ ଏବଂ ଏକ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବସରେ ନିଆଁ ଲାଗି ଯାଇଥିଲା। ଫଳରେ ବସ୍ରେ ଥିବା ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦୁର୍ଘଟଣାର ସୂଚନା ପାଇବା ପରେ ଜରୁରୀକାଳୀନ ସେବା ରେସକ୍ୟୁ ୧୧୨୨ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁର୍ଘଟଣାରେ ଆହତ ହୋଇଇଥିବା ଅନ୍ୟ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଏଥିସହିତ ଗୁରୁତର ଆହତ ୬ଜଣ ଯାତ୍ରୀଙ୍କୁ ମୁଲତାନର ନିସ୍ତାର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗତ ତିନି ଦିନ ମଧ୍ୟରେ ପଞ୍ଜାବ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା।
ଖବର ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମୃତଦେହ ଏତେ ଜଳିଯାଇଛି ଯେଉଁଥିପାଇଁ ପୋଲିସ ସେମାନଙ୍କୁ ଚିହ୍ନିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ବର୍ତ୍ତମାନ ପୋଲିସ ଡିଏନଏ ପରୀକ୍ଷା କରିବା ପରେ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବା କଥା କହୁଛି। ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି
Powered by Froala Editor