ତେଜସ୍ୱୀଙ୍କୁ ମିଳିଲା ସ୍ୱାସ୍ଥ୍ୟ, ସଡ଼କ, ଗୃହ ନିର୍ମାଣ ବିଭାଗ
ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ରଖିଛନ୍ତି। ଏହାବ୍ୟତୀତ ସେ ସାଧାରଣ ପ୍ରଶାସନ, ନିର୍ବାଚନ ଏବଂ ବଣ୍ଟନ ହୋଇନଥିବା ଅନ୍ୟ ସମସ୍ତ ବିଭାଗ ନିଜ ପାଖରେ ରଖିଛନ୍ତି।
ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମିଳିନି ଗୃହ ବିଭାଗ। ଆର୍ଜେଡିରେ ମନ୍ତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ତେଜସ୍ୱୀଙ୍କୁ ଗୃହ ବିଭାଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ସମେତ ସଡ଼କ ନିର୍ମାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଛି। ଅନ୍ୟପଟେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପରିବେଶ, ଜଙ୍ଗଳ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେବଳ ବିଜୟ କୁମାର ଚୌଧୁରୀ (ଅର୍ଥ, ବାଣିଜ୍ୟିକ ଟିକସ ଏବଂ ସଂସଦୀୟ ବ୍ୟାପାର) ଏବଂ ବିଜେନ୍ଦ୍ର ଯାଦବ (ଶକ୍ତି ଏବଂ ଯୋଜନା ଏବଂ ବିକାଶ) ଏକରୁ ଅଧିକ ବିଭାଗ ପାଇଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଆଜି ରାଜଭବନରେ ଶପଥ ନେଇଥିଲେ। ଏକାଥରକେ ୫ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଥିଲେ।
Powered by Froala Editor