ସୁରକ୍ଷା ଭେଦି ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲା ଯୁବକ
ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଶ୍ରୀମନ୍ଦିର ଘଣ୍ଟି ଦ୍ବାର ଦେଇ ସମ୍ପୃକ୍ତ ବ୍ୟକ୍ତିଜଣକ ନାଟମଣ୍ଡପ ଉପରେ ଚଢିଯାଇଥିବା ବେଳେ ଚୂନରା ସେବାୟତ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୋଲିସରେ ଜିମା ଦେଇଛନ୍ତି। ସିଂହଦ୍ଵାର ଥାନାରେ ଅଟକ ଥିବା ବ୍ୟକ୍ତି ଜଣକ ହେଉଛି ଗଞ୍ଜାମ ଜିଲ୍ଲା ଗାଲେରୀ ବାଲିପଡା ଅଞ୍ଚଳର ଜିତୁ ଗୌଡ। ଜିତୁ ଶ୍ରୀମନ୍ଦିର ଉପରେ କାହିଁକି ଚଢ଼ିଲେ ସେ ନେଇ ତଦନ୍ତ ଚାଲିଛି।
ରବିବାର ପୂର୍ବାହ୍ନ ୧୧ ସମୟରେ ଜିତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ଏହା ଦେଖି ପୋଲିସ ଓ ଶ୍ରୀମନ୍ଦିର ଜେଟିପିଙ୍କୁ ଜଣାଇଥିଲେ।
ଗତ କିଛି ମାସ ତଳେ ଜଣେ କିନ୍ନର ସିଂହଦ୍ଵାର ଗୁମୁଟ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାମନରୁ ନ ଲିଭୁଣୁ ଆଜି ଆଉ ଜଣେ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥା ଭେଦ କରି ଶ୍ରୀମନ୍ଦିର ନାଟମଣ୍ଡପ ଉପରେ କିଭଳି ଚଢିଗଲେ । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ସେପଟେ ଶ୍ରୀମନ୍ଦିର ଉପରେ ଏଭଳି ଚଢ଼ିବା ହେଉଛି ଚତୁର୍ଥ ଘଟଣା। ପୂର୍ବରୁ ଗତ ୨୦୧୯ ଏପ୍ରିଲ ମାସରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଥିଲା। ଖବର ପାଇ ପୁଲିସ୍ ଆସି ମନ୍ଦିର ତଳେ ବ୍ୟକ୍ତି ଜଣଙ୍କୁ ଜଗି ରହିଥିଲା। ବ୍ୟକ୍ତି ଜଣକ ଅଧା ବାଟ ଓହ୍ଲାଇ ମନ୍ଦିର ଅଧାରେ ଅଟକି ରହିଥିଲେ। ପୁଲିସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିକୁ ତଳେ ଅପେକ୍ଷା କରିବା ପରେ ଶେଷରେ ବ୍ୟକ୍ତି ଜଣକ ତଳକୁ ଓହ୍ଳାଇଥିଲେ।
Powered by Froala Editor