ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ନବୀନ

ବାରିପଦା: ଆଜି ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳ ୯ଟା ୫୦ମିନିଟରେ ନବୀନ ନିବାସରୁ ବାହାରି ବିଜୁପଟ୍ଟନାୟକ ବିମାନ ବନ୍ଦର ଯିବେ । ସେଠାରୁ ଦିନ ୧୦ଟା ସମୟରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୧ଟା ୧୦ମିନିଟ ସମୟରେ ଅବତରଣ କରି ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ମଞ୍ଚକୁ ଯିବେ ।
ସେଠାରେ ଡିଜିଟାଲ ମୋଡରେ (ଭିଡିଓ କନଫରେନ୍ସିଂ ଯୋଗେ) ଦେଓ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଉନ୍ନୟନ ମୂଳକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ପରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ଦିନ ୧୧ଟା ୫୦ ସୁଦ୍ଧା କାର୍ୟ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଦିନ ୧୨ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟସୂଚୀ ରହିଛି ।
ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୟୂରଭଂଜ ଦିନିକିଆ ଗସ୍ତରେ ଆସି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଏବଂ ରାସଗୋବିନ୍ଦପୁର ବ୍ଲକର ଟିକପଡା ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଦେଓ ଜଳ ସେଚନ ପ୍ରକଳ୍ପ ସମେତ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ସହିତ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନାର ଲୋକାର୍ପଣ କରିବେ ବୋଲି ସ୍ଥିର ହୋଇଥିଲା । ତେବେ ମୟୂରଭଂଜରେ ଲଗାଣ ବର୍ଷା ଏବଂ ପାଗ ଖରାପ ଥିବାରୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ କରଂଜିଆ ଗସ୍ତ ବାତିଲ ହୋଇଥିବା ବେଳେ କେବଳ ରାସଗୋବିନ୍ଦପୁର ଗସ୍ତ କାଏମ ରହିଛି ।
କାର୍ୟ୍ୟକ୍ରମ ମୁତାବକ ମୁଖ୍ୟମନ୍ତ୍ରୀ ରାସଗୋବିନ୍ଦପୁର ସ୍ଥିତ ଟିକପଡା ଠାରେ ପହଞ୍ଚିବା ପରେ ମଞ୍ଚରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ସ୍ୱାଗତ ଭାଷଣ ପ୍ରଦାନ କରିବେ । ଏହା ପରେ ସୁବର୍ଣ୍ଣରେଖା ଏବଂ ଦେଓ ଜଳ ସେଚନ ପ୍ରକଳ୍ପର ଭିଡିଓ ଫିଲ୍ମ ପ୍ରଦର୍ଶିତ ହେବ । ପରେ ପରେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ, କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ଉନ୍ନୟନ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି । ସୂଚନା ମୁତାବକ ଦିନ ୧୧ଟା ୪୦ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ଭିଡିଓ ଯୋଗେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ।
Powered by Froala Editor