ଏକାବେଳେ ମା’ ଓ ପୁଅଙ୍କୁ ସଫଳତା, ପାସ୍ କଲେ ପବ୍ଲିକ୍ ସର୍ଭିସ୍ କମିଶନ ପରୀକ୍ଷା
କେରଳର ମାଲାପ୍ପୁରମ୍ରେ ଜଣେ ୪୨ ବର୍ଷୀୟ ମହିଳା ଏବଂ ତାଙ୍କ ୨୪ ବର୍ଷିୟ ପୁଅ ସାଥିହୋଇ ‘ଲୋକସେବା ଆୟୋଗ’ (ପିଏସ୍ସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାଲାପ୍ପୁରମ୍ର ଏହି ମହିଳାଙ୍କ ନାମ ବିନ୍ଦୁ ଓ ତାଙ୍କ ପୁଅଙ୍କ ନାମ ବିବେକ। ମା’ ପୁଅଙ୍କ ଏହି ସଫଳତା କାହାଣୀ ସମସ୍ତଙ୍କ ପାଟିରେ ସ୍ଫୁରିତ ହେଉଛି।
ଗଣମାଧ୍ୟମର ଖବର ମୁତାବକ, ବିବେକ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ତାଙ୍କ ମା’ଙ୍କୁ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି କରିବାକୁ ବାରମ୍ବାର କହୁଥିଲା। ପୁଅ ଠାରୁ ପ୍ରେରଣା ପାଇ ମା’ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ଏହି ପରୀକ୍ଷା ନିମନ୍ତେ ଉଭୟ ମା, ପୁଅ କୋଚିଂ ଯିବା ଆରମ୍ଭ କରିଥିଲେ। ୯ ବର୍ଷ ପରିଶ୍ରମ କରି ସେ ଓ ତାଙ୍କ ପୁଅ ଏକତ୍ର ସରକାରୀ ଚାକିରି କରିବାକୁ ବାହାରିଛନ୍ତି।
ଏହି ପରୀକ୍ଷାରେ ବିନ୍ଦୁ ‘ଲୋଅର୍ ଡିଭିଜ୍ନାଲ୍ କ୍ଲର୍କ’ (ଏଲ୍ଡିସି) ପରୀକ୍ଷାରେ ୩୮ ରାଙ୍କ୍ରେ ଥିବା ବେଳେ ପୁଅ ‘ଲାଷ୍ଟ୍ ଗ୍ରେଡ୍ ସର୍ଭିସ୍’ ପରୀକ୍ଷାରେ (ଏଲ୍ଜିଏସ୍) ୯୨ ରାଙ୍କ୍ରେ ରହିଛି। ସଫଳତା ପାଇଁ ପୁଅ ୩ ଥର ଉଦ୍ୟମ କରିଥିବା ବେଳେ ମାଆ ୪ଥର ଉଦ୍ୟମ କରିଥିଲେ। ପୂର୍ବରୁ ବିନ୍ଦୁ ଗୋଟାଏ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ବର୍ଷ ପଢାଇ ଥିଲେ।
ଏହି ସଫଳତା ନେଇ ବିବେକ କହିଛନ୍ତି, ମା’ ପ୍ରେରଣାର ଉତ୍ସ ହୋଇଥିବା ବେଳେ ବାପା ସମସ୍ତ ସୁବିଧା ଯୋଗାଇ ଦେଇଥିଲେ। ଶିକ୍ଷକଙ୍କ ସହଯୋଗ ଯୋଗୁ ସଫଳତା ହାତ ପାହାନ୍ତାରେ ପହଞ୍ଚି ପାରିଛି। ମାତ୍ର କେବେ ବି ଆମେ ଦୁହେଁ ଏକକାଳୀନ ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ପାସ୍ କରିବୁ ବୋଲି ଭାବି ନ ଥିଲୁ।
Powered by Froala Editor