ସ୍ତ୍ରୀ ମାନେ ସ୍ୱାମୀଙ୍କୁ କୁହନ୍ତୁ ନାହିଁ ଏହି କଥା
ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍ ନୁହେଁ। କାରଣ ଏହି କାନକୁହା କଥା ବି ବେଳେବେଳେ ବୁମେରାଂ ହୋଇପାରେ। ସୁଖୀ ଓ ସଫଳ ଦାମ୍ପତ୍ୟ ଜୀବନକୁ ବରବାଦ କରିଦେଇପାରେ। ତେଣୁ କେଉଁ କଥା ସ୍ବାମୀଙ୍କୁ କହିବେ ତାହା ଜାଣିବା ଅପେକ୍ଷା କ’ଣ ନ କହିବେ ତାହା ନିଶ୍ଚୟ ଜାଣିବା ଦରକାର…
ସବୁ ଅକୁହା କଥା ତାଙ୍କ ଆଗରେ କହିହୁଏ। ମନକଥା ଖୋଲି କହିଦେଲେ ମନ ହାଲକା ହୁଏ ଆଉ ସମ୍ପର୍କ ହୋଇଥାଏ ମଜବୁତ। ହେଲେ ଏମିତି କିଛି କଥା ଅଛି ଯାହା ସମ୍ପର୍କରେ ସନ୍ଦେହ ସୃଷ୍ଟି କରିବା ପାଇଁ ବାଧ୍ୟ କରିଥାଏ। ତେଣୁ ପରିବାର ଚଳାଇବାକୁ ହେଲେ ସ୍ବାମୀଙ୍କୁ ବି ସବୁକଥା ନ କହିବା ଭଲ।
ପୁରୁଣା ପ୍ରେମ: ନିଜର ହେଉ ବା ସ୍ବାମୀଙ୍କର ପୁରୁଣା ପ୍ରେମକୁ ନେଇ କୌଣସି ପ୍ରକାରର ଟିପ୍ପଣୀ ଦେବା ଉଚିତ୍ ନୁହେଁ। ଏମିତିକି ସେ ସମ୍ପର୍କକୁ ନେଇ କୌଣସି ଆଲୋଚନା କରିବା ପାଇଁ ଚେଷ୍ଟା କରିବା କଥା ନୁହେଁ। କାହିଁକିନା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନାବେଳେ କେଉଁଠି ନା କେଉଁଠି ହୃଦୟକୁ ଆଘାତ ମିଳିଥାଏ। ତା ଛଡା ଏନେଇ ଆଲୋଚନା କଲେ ନା ସ୍ବାମୀଙ୍କୁ ଭଲ ଲାଗିବ ନା ଆପଣଙ୍କୁ। ତେଣୁ ଏଭଳି ପ୍ରସଙ୍ଗ ଅତୀତ ହୋଇ ରହିବା ଭଲ।
ବାପଘରର ଗୁମର: ନିଜର ସୁଖ ଦୁଃଖ ଭଲ ମନ୍ଦ ସମ୍ପର୍କରେ ସ୍ବାମୀଙ୍କୁ ଜଣାଇବା ଠିକ୍। କିନ୍ତୁ ବାପଘରର କୌଣସି ଗୁମର କଥାକୁ କେବେ ହେଲେ ତାଙ୍କ ଆଗରେ ଖୋଲି କୁହନ୍ତୁ ନାହିଁ। କାହିଁକିନା ଅନେକ ସମୟରେ ଏହି କଥା ଆପଣଙ୍କ ଉପରେ ହିଁ ଅସ୍ତ୍ର ହୋଇ ଫେରି ଆସିପାରେ। ସେହି କଥାକୁ ନେଇ ସୁଯୋଗ ଦେଖି ସେ ଆପଣଙ୍କୁ କିଛି କହିଲେ ଶୁଣିବାକୁ ଆଦୌ ଭଲ ଲାଗିବନି।
ନିଜର ବ୍ୟକ୍ତିଗତ ସଞ୍ଚୟ: ସ୍ବାମୀଙ୍କ ଆଗରେ ନିଜର ବ୍ୟକ୍ତିଗତ ସଞ୍ଚୟ ନେଇ ସତକଥା କୁହନ୍ତୁ ନାହିଁ। ନଚେତ୍ ଖୁବ୍ ଶୀଘ୍ର ସେହି ସଞ୍ଚୟ ଶେଷ ହୋଇଯିବ। କାରଣ ଘର ପାଇଁ କୌଣସି ଖର୍ଚ୍ଚର ଆବଶ୍ୟକତା ପଡିଲେ ପ୍ରଥମେ ସେ ଆପଣଙ୍କ ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଚାହିଁବେ। ତେଣୁ ଆପଣ ସେହି ସଞ୍ଚୟକୁ ନେଇ କୌଣସି ଭବିଷ୍ୟତ ଯୋଜନା କରିଥିଲେ ତାହା ହୁଏତ ଫଳବତୀ ହୋଇ ନ ପାରେ। ଏହି ଦୃଷ୍ଟିରୁ ନିଜ ସଞ୍ଚୟକୁ ଖୋଲି କୁହନ୍ତୁ ନାହିଁ। କିନ୍ତୁ ଭବିଷ୍ୟତରେ କୌଣସି ଠକାମୀର ଶିକାର ହେବା ଭଳି କାମ ନ କରି ବୁଝି ବିଚାରି ସଞ୍ଚୟ କିମ୍ବା ବିନିଯୋଗ କରନ୍ତୁ।
ନିନ୍ଦା କରିବା: ଶାଶୂଘରର କୌଣସି ଲୋକଙ୍କ ନିନ୍ଦା କରନ୍ତୁ ନାହିଁ। ସ୍ବାମୀଙ୍କୁ ଆପଣଙ୍କର ଏପରି ଗୁଣ ଆଦୌ ଭଲ ଲାଗିବ ନାହିଁ। କାରଣ ସେ ତାଙ୍କ ବାପା, ମାଆ କିମ୍ବା ଭାଇଭଉଣୀଙ୍କ ସମ୍ପର୍କରେ କୌଣସି ନକାରାତ୍ମକ କଥା ଶୁଣିବାକୁ ପସନ୍ଦ କରିବେ ନାହିଁ। ଠିକ୍ ଯେମିତି ଆପଣ ମଧ୍ୟ ନିଜ ବାପଘର ଲୋକଙ୍କ ସମ୍ପର୍କରେ ନକାରାତ୍ମକ କଥା ଶୁଣିପାରିବେ ନାହିଁ। ତେଣୁ ଏଭଳି କିଛି କହିବା ପୂର୍ବରୁ ସତର୍କ ରୁହନ୍ତୁ।
ବନ୍ଧୁଙ୍କ ବିରୋଧରେ: ସ୍ବାମୀଙ୍କର କୌଣସି ଘନିଷ୍ଟ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ପର୍କକୁ ନେଇ ତାତ୍ସଲ୍ୟ କରନ୍ତୁ ନାହିଁ କିମ୍ବା ସନ୍ଦେହ କରନ୍ତୁ ନାହିଁ। ଏମିତିକି ବନ୍ଧୁଙ୍କର କୌଣସି ଖରାପ ଗୁଣ କିମ୍ବା ତାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।
ରୋଜଗାର ନେଇ ତାଚ୍ଛଲ୍ୟ: ସ୍ବାମୀଙ୍କର ରୋଜଗାରକୁ ନେଇ ଭୁଲରେ କେବେ ତାତ୍ସଲ୍ୟ କରନ୍ତୁ ନାହିଁ। ସବୁ ପୁରୁଷଙ୍କୁ ଏହା ଆଘାତ ଦେଇଥାଏ। ତେଣୁ ତାଙ୍କ ରୋଜଗାରକୁ ନେଇ ଆପଣ ସନ୍ତୁଷ୍ଟ ଥିବା ଭଳି ତାଙ୍କୁ ଅନୁଭବ କରାଇପାରିଲେ ପରିବାର ବେଶ୍ ହସଖୁସିରେ ଆଗେଇଯିବ।
Powered by Froala Editor