ଇଡିର ବରିଷ୍ଠ ଅଧିକାରୀଙ୍କୁ କୋଲକାତା ପୁଲିସର ନୋଟିସ୍

ଟଙ୍କା ଆଦାୟ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କୁ ନୋଟିସ ପଠାଇଛି କୋଲକାତା ପୁଲିସ । ଏହି ମାମଲାରେ ଝାଡଖଣ୍ଡର ଜଣେ ଓକିଲଙ୍କୁ କୋଲକାତା ପୁଲିସ ଗିରଫ କରିସାରିଛି। ପଶ୍ଚିମବଙ୍ଗ ପୁଲିସ ଇଡି ଅଧିକାରୀଙ୍କୁ ଏହି ନୋଟିସ୍ ଏମିତି ସମୟରେ ପଠାଇଛି, ଯେଉଁ ସମୟରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଛି।
ସୂଚନା ମୁତାବକ କେନ୍ଦ୍ରୀୟ ଏଜେନ୍ସି ଇଡି ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିବା ବେଳେ ଏବେ ପଶ୍ଚିମବଙ୍ଗ ପୁଲିସ ଇଡି ଅଧିକାରୀଙ୍କ ନିକଟକୁ ଏହି ନୋଟିସ ପଠାଇଛି। କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ୱରରେ ଇଡିର ଯୁଗ୍ମ ନିର୍ଦ୍ଦେଶକ ଥିବା ସୁବୋଧ କୁମାରଙ୍କୁ ନୋଟିସ ପଠାଯାଇଛି। ସୁବୋଧ କୁମାର ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ରାଞ୍ଚିରେ ଥିବାବେଳେ ତାଙ୍କୁ କିଛି ମାସ ପୂର୍ବରୁ ଓଡିଶା ବଦଳି କରାଯାଇଥିଲା। କୋଲକାତା ପୁଲିସ ଝାଡଖଣ୍ଡର ଜଣେ ଓଲିକ ରାଜୀବ କୁମାରଙ୍କୁ ସହରର ଜଣେ ବ୍ୟବସାୟୀଙ୍କୁ ଚାନ୍ଦା ସଂଗ୍ରହ କରିବା ଅଭିଯୋଗରେ ଗିରଫ କରିଥିଲା। ଓକିଲଙ୍କ ନିକଟରୁ ୫୦ ଲକ୍ଷ ନଗଦ ରାଶି ଜବତ କରାଯାଇଥିଲା।
କୋଲକାତା ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଓକିଲ ଜଣକ ଲୋକଙ୍କ ନାମରେ ଜନସ୍ୱାର୍ଥ ମାମଲାରେ ଅଭିଯୁକ୍ତ କରାଇ ଟଙ୍କା ଲୁଟି ନେଉଥିଲେ ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସେମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ସେମାନଙ୍କୁ ଭୟଭୀତ କରିଥିଲେ। କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଅଭିଯୁକ୍ତ ୨୦୨୧ ମସିହାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ଯେଉଁଥିରେ କୋଲକାତାର ଏହି ବ୍ୟବସାୟୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ଜନସ୍ୱାର୍ଥ ମାମଲାରୁ ତାଙ୍କ ନାମ ହଟାଇବାକୁ ବ୍ୟବସାୟୀଙ୍କଠାରୁ ୧୦ କୋଟି ଟଙ୍କା ମାଗିଥିଲେ। ଓକିଲ ଏହା ମଧ୍ୟ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିବେ। ଆପୋଷ ବୁଝାମଣା ପରେ ୧ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଥିଲା। ଆଉ ରାଜୀବ କୁମାର ୫୦ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ କୋଲକାତା ଆସିଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ପଚରାଉଚରାବେଳେ ଇଡି ଅଧିକାରୀ ସୁବୋଧ କୁମାରଙ୍କ ନାମ ସାମ୍ନାକୁ ଆସିଥିଲା
Powered by Froala Editor