ଭୋଟ ପରିଚୟପତ୍ର ପାଇଁ ନୂଆ ନିୟମ : ଆଉ ୧୮ ବର୍ଷ ବୟସ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବନି
ନୂଆଦିଲ୍ଲୀ: ଭୋଟର ତାଲିକାରେ ନିଜ ନାଁ ପଂଜୀକରଣ କରିବାକୁ ଆଉ ୧୮ ବର୍ଷ ବୟସ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବନି। ଯେଉଁମାନଙ୍କୁ ୧୭ ବର୍ଷ ପୂରି ସାରିଛି, ସେମାନେ ଚାହିଁଲେ ଭୋଟ ପରିଚୟପତ୍ର ପାଇଁ ଆବେଦନ କରିପାରିବେ। ଆଜି ଏହି ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ପୂର୍ବରୁ ପ୍ରଚଳିତ ନିୟମ ଅନୁଯାୟୀ, ଜଣଙ୍କୁ ୧୮ ବର୍ଷ ହେବା ପରେ ହିଁ ସେ ନିଜର ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିପାରୁ ଥିଲେ। ଏକ ନିର୍ଦ୍ଦିଷ୍ଟ ବର୍ଷର ଜାନୁଆରୀ ୧ କିମ୍ବା ତା’ ପୂର୍ବରୁ ୧୮ ବର୍ଷ ପୂରଣ କରିଥିବା ଜଣେ ଯୁବକ ଭୋଟର ଆଇଡି ପାଇଁ ଆବେଦନ କରିପାରୁଥିଲେ। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷର ଜାନୁଆରୀ ୧ ପରେ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ପୂରା ଗୋଟିଏ ବର୍ଷ ନିଜ ନାଁ ପଞ୍ଜୀକରଣ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା।
ହେଲେ ଏବେ ୧୭ ବର୍ଷ ବୟସରୁ ଭୋଟର ଆଇଡି ପାଇଁ ଆବେଦନ କରିହେବ। ଆବେଦନକାରୀଙ୍କୁ ୧୮ ବର୍ଷ ପୂରିବା ମାତ୍ରେ ତାଙ୍କ ନାଁ ଆପେଆପେ ଭୋଟର ତାଲିକାରେ ପଞ୍ଜୀକରଣ ହୋଇଯିବ। ନୂଆ ନିୟମ ଅନୁସାରେ ଏଣିକି ବର୍ଷକୁ ୪ ଥର ଭୋଟର ତାଲିକା ଅପଡେଟ କରାଯାଇ ପାରିବ। ଜାନୁଆରୀ ପହିଲା, ଏପ୍ରିଲ ପହିଲା, ଜୁଲାଇ ପହିଲା ଓ ଅକ୍ଟୋବର ପହିଲାରେ ଜଣେ ବ୍ୟକ୍ତି ନିଜର ଭୋଟର ପରିଚୟପତ୍ର ଅପଡେଟ କରିପାରିବେ।
ପ୍ରତି ୩ ମାସରେ ଭୋଟର କାର୍ଡ ଅପଡେଟ କରିବାକୁ ସୁଯୋଗ ମିଳିବ। ଯେଉଁ ଦିନ ଜଣକର ବୟସ ୧୮ ହେଉଥିବ, ସେହି ତ୍ରୈମାସିକରେ ୧୭ ବର୍ଷ ପାର କରି ସାରିଥିବା ପିଲାମାନେ ନିଜ ନାଁ ଆଗୁଆ ପଂଜୀକରଣ କରାଇପାରିବେ। ପ୍ରାଥମିକ ଯାଞ୍ଚ ପ୍ରକ୍ରିୟା ପରେ ଆବେଦନକାରୀଙ୍କୁ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟୀ କାର୍ଡ(ଇପିଆଇସି) ଯୋଗାଇ ଦିଆଯିବ।
Powered by Froala Editor