ମଙ୍କିପକ୍ସ ରୋଗୀଙ୍କ ପାଇଁ ୨୧ଦିନ ଆଇସୋଲେସନ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍କିପକ୍ସ ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ଦେଶରେ ଏଯାବତ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବିଶ୍ୱବ୍ୟାପୀ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହେବାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି । ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି ହୋଇଛି । ମଙ୍କିପକ୍ସ ରୋଗୀଙ୍କ ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ହେଉଛି :
- ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ । ଶରୀରର ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ ।
- ରୋଗୀ ୩ ଥାକିଆ ମାକ୍ସ ପିନ୍ଧିବେ ।
- ଶରୀରରେ ହୋଇଥିବା ଘା ଓ ବଥ ଗୁଡ଼ିକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଉଚିତ ।
- ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ।
- ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ ।
- ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ମଧ୍ୟ ବ୍ଲଡ଼, ସେଲ୍, ଟିସୁ ଆଦି ଦାନ କରିପାରିବେ ନାହିଁ ।
- ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବାରମ୍ବାର ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବେ ।
Powered by Froala Editor