୪ ଜଣ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବିତ କଲେ ବାଚସ୍ପତି
ଆଜି ଲୋକସଭାର ୪ ଜଣ କଂଗ୍ରେସ ସଦସ୍ୟଙ୍କୁ ବାଚସ୍ପତି ନିଲମ୍ବନ କରିଛନ୍ତି। ଏହି ୪ ଜଣ ସଦସ୍ୟ ହେଲେ ମଣିକାମ ଟାଗୋର, ରାମୟା ହରିଦାଶ, ଜୋଠିମଣି ଏବଂ ଟିଏନ ପ୍ରଥାପଡ଼। ୪ ଜଣ ଦରବୃଦ୍ଧି, ମୁଦ୍ରାସ୍ପୀତିହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିଥିଲେ। ଫଳରେ ସଦନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା। ଗୃହରେ ହଙ୍ଗାମା ଯୋଗୁ ଲୋକସଭା ବାଚସ୍ପତି ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିଛନ୍ତି।
ଏପଟେ ଏନେକ କଂଗ୍ରେସ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି । କଂଗ୍ରେସ କହିଛି ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ଅଛି । ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି । ଜଣେ ଜନପ୍ରତିନିଧି ହିସାବରେ ସେମାନେ ସଂସଦରେ ବିରୋଧ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ସମ୍ପୂର୍ଣ୍ଣ ସେସନରୁ ନିଲମ୍ବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସୂଚନା ଥାଉକି, ନିକଟରେ କିଛି ଶବ୍ଦକୁ ଅଣ ପାର୍ଲିଆମେଣ୍ଟାରୀ ଶବ୍ଦ ଘୋଷଣା ସହ ଗୃହରେ ଧାରଣା ଦେଲେ କିମ୍ବା ଅନଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । ଏହି ପରିପେକ୍ଷିରେ ଆଜି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ସେମାନେ ନିଲମ୍ବିତ ରହିବେ । ଲୋକସଭା ଅଧ୍ୟକ୍ଷ ମଧ୍ୟ ବିରୋଧୀ ସାଂସଦମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ମୋ ଉଦାରତାକୁ ଦୁର୍ବଳତା ଭାବିବାର ଭୁଲ ନକରନ୍ତୁ । ଯଦି ତୁମେ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛ ତେବେ ସଦନ ବାହାରେ ଯାଇ କର । ଭିତରେ ଫ୍ଲାକାର୍ଡ ଧରି ପ୍ରତିବାଦ ବରଦାସ୍ତ କରାଯିବନି । ଏହାପରେ ସେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
Powered by Froala Editor