ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଅଜୟ ଦେବଗନ୍, ସୁରିୟା ଶ୍ରେଷ୍ଠ ଅଭିନେତା
ଶୁକ୍ରବାର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ଜୁଲାଇ ୨୨(ଆଜି) ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି। ଅଜୟ ଦେବଗନ ଓ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ‘ତାନାଜୀ’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘Soorarai Pottru’ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି।
ସୁରିୟାଙ୍କର ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହୋଇଥିବା ବେଳେ ଅଜୟ ଦେବଗନ ତୃତୀୟ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ୧୯୯୮ରେ ବଲିଉଡ୍ ଫିଲ୍ମ ‘ଜଖମ୍’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।
ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚନା କରାଯାଇଥିବା ବେଳେ ବିଶାଲ ଭରଦ୍ବାଜଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ମନୋନୀତ କରାଯାଇଛି। ‘Soorarai Pottru’ରେ ଅଭିନୟ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ଫିଲ୍ମ ପାଇଁ ସାଲିନି ଉଷା ନାୟାର ଓ ନିର୍ଦ୍ଦେଶକ ସୁଧା କଙ୍ଗରା ବେଷ୍ଟ ସ୍କ୍ରିନ ପ୍ଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।
ମାଲାୟଲମ ଫିଲ୍ମ ‘Ayyappanum Koshiyum’ ପାଇଁ ସ୍ୱର୍ଗତ କେ ଆର ସଚ୍ଚିଦାନନ୍ଦନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ବିଜୁ ମେନନ ‘Ayyappanum Koshiyum’ ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ଚଳିତ ଥର ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ବିଭାଗରେ କୌଣସି ଓଡ଼ିଆ ଚଳଚ୍ଚିତ୍ର ମନୋନୀତ ହୋଇନାହିଁ। ତେବେ ଚଳଚ୍ଚିତ୍ର ସମ୍ଭନ୍ଧିତ ଆଞ୍ଚଳିକ ଭାଷାର ପୁସ୍ତକ ଭାବେ ଓଡ଼ିଶାର ସିନେ-ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’ ମନୋନୀତ ହୋଇଛି ।
Powered by Froala Editor