ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାବାସୀଙ୍କ ଜୀବନରେଖା ୫୫ ନମ୍ବର ରାଜପଥ ଏବେ ଯନ୍ତ୍ରଣାଦାୟକ ହୋଇଛି ।ବାରମ୍ବାର ଦାବି ସତ୍ତେ୍ୱ ବି ରାଜପଥ ସ୍ଥିତି ସୁଧାରିବା ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ଶୁକ୍ରବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି ।
ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ ହେବ । ଏହି ସମୟ ମଧ୍ୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍, ପେଟ୍ରୋଲ ପମ୍ପ୍ ଆଦିକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସେବା ସମେତ କ୍ଷୀର ବିକ୍ରି ଓ ଔଷଧ ଦୋକାନ ଖୋଲା ରହିବ । ୫୫ ନଂ. ଜାତୀୟ ରାଜପଥକୁ ସକାଳ ୬ଟାରୁ ସବୁ ବାଇପାସ୍ ଛକରେ ଅବରୋଧ କରାଯିବ । ଅପରାହ୍ନ ୨ଟା ପର୍ୟ୍ୟନ୍ତ ରାଜପଥ ଉପରେ ଗାଡ଼ି ଚଳାଚଳ ବନ୍ଦ ରହିବ ।
ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଭାପୁର, ଶଙ୍କରପୁର ଆଦି ବିଭିନ୍ନ ସ୍ଥାନରେ ଅବରୋଧ କରାଯିବ । ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ଦୁଇଘଣ୍ଟା ଧରି ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟଠାରେ ରେଳରୋକ କରାଯାଉଛି । ଦକ୍ଷିଣକାଳୀ ରୋଡ୍ସ୍ଥିତ ଏନ୍ଏଚ୍ଆଇର କାର୍ୟ୍ୟାଳୟରେ ତାଲା ପକାଯିବ । ଢେଙ୍କାନାଳ ଓକିଲ ସଂଘ ଆହ୍ୱାନରେ ଦିଆଯାଇଥିବା ଏହି ବନ୍ଦ ଡାକରାରେ ଜିଲ୍ଲା ଶିଳ୍ପ ବାଣିଜ୍ୟ ସଂଘ, ମିଳିତ ବଜାର ପୂଜା କମିଟି, ବସ୍ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ ସମେତ ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନ ସାମିଲ ହୋଇଛନ୍ତି ।
Powered by Froala Editor