ଆଜିଠୁ ପୁଣି ଭିଜିବ ଓଡ଼ିଶା; ୪ଦିନ ପର୍ୟ୍ୟନ୍ତ ବର୍ଷା
ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତିଶାଳୀ ହୋଇଛି ମୌସୁମୀ ଟ୍ରପଲାଇନ୍। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ୟ୍ୟନ୍ତ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜିଠୁ ପୁଣି ଭିଜିବ ଓଡ଼ିଶା। ଉପାନ୍ତରୁ ଉପକୂଳ ଅବିଶ୍ରାନ୍ତ ବର୍ଷା । ଆସନ୍ତା ୨୪ତାରିଖ ଯାଏଁ ମିଳିବନି ନିସ୍ତାର। ବିଶେଷ କରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୩ ତାରିଖରେ ୭ଜିଲ୍ଲାକୁ ଅରେଞ୍ଜ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଏବଂ ୨୪ ରେ ୮ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ବୌଦ୍ଧ, ସୋନପୁର, ଦେବଗଡରେ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି। ଏସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ। ଲଗାଣ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ନଦୀ ଫୁଲିବା ସହ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
କଚ୍ଚା ଘର ଭାଙ୍ଗିବା ସହ କଚ୍ଚା ରାସ୍ତା ଧୋଇଯିବା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ। ମୁକାବିଲା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି। ସେପଟେ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।
Powered by Froala Editor