ମଙ୍କିପକ୍ସ ପାଇଁ ସତର୍କ ସୂଚନା ଦେଲେ କେନ୍ଦ୍ର ସରକାର
ମଙ୍କିପକ୍ସ ଭାଇରସ୍କୁ ନେଇ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁ ଯାତ୍ରୀମାନେ ବାହାର ଦେଶରୁ ଆସୁଛନ୍ତି ସମସ୍ତଙ୍କର ସ୍କ୍ରିନିଂ କରିବା ସହ ଆଇସୋଲେସନରେ ରଖିବାକୁ କୁହାଯାଇଛି । ଏ ନେଇ ରାଜ୍ୟ, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।
ଗତ ଜୁଲାଇ ୧୩ ତାରିଖରେ କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ଗତକାଲି ମଙ୍କିପକ୍ସର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ଦେଶରେ ୬ ହଜାରରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି ଏବଂ ଏଥିରେ ୩ ଜଣଙ୍କ ଜୀବନ ଗଲାଣି।
ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭାଗ ପକ୍ଷରୁ ବିମାନ ବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା ପରେ ଏହି ପରାମର୍ଶ ଦିଆଯାଇଛି। ବାହାର ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି। ଫଳରେ ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇ ପାରିବ।
Powered by Froala Editor