ସାରା ଦେଶରେ ଜଳୁଛି “ଅଗ୍ନିପଥ’ ନିଆଁ, ଓଡ଼ିଶାରେ ୬ ଟ୍ରେନ୍ ବାତିଲ
ଭୁବନେଶ୍ୱର: ସାରା ଦେଶରେ ଜଳୁଛି “ଅଗ୍ନିପଥ’ ନିଆଁ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । ବିହାର, ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟଗୁଡିକରେ ବ୍ୟାପକ ଆନ୍ଦୋଳନ ଦେଖିବାକୁ ମିଳିଛି । ଯାହାକୁ ଦେଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଦେଇ ଚଳାଚଳ କରୁଥିବା ୬ଟି ଟ୍ରେନ୍କୁ ବାତିଲ କରାଯାଇଛି ।
ସେଗୁଡିକ ମଧ୍ୟରୁ ୧୮ ତାରିଖରେ ଯଶୋବନ୍ତପୁରରୁ ଛାଡିବାକୁ ଥିବା ଯଶୋବନ୍ତପୁର-ଭାଗଲପୁର ଏକ୍ସପ୍ରେସ୍କୁ ବାତିଲ କରାଯାଇଛି । ସେହିପରି ୧୮ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ପାଟଣା ଏକ୍ସପ୍ରେସ୍, ୧୯ରେ ପାଟଣାରୁ ଛାଡିବାକୁ ଥିବା ପାଟଣା-ପୁରୀ ଏକ୍ସପ୍ରେସ୍, ୨୦ରେ ପୁରୀରୁ ଛାଡିବାକୁ ଥିବା ପୁରୀ- ଆଜମେର ଏକ୍ସପ୍ରେସ୍, ଏର୍ଣ୍ଣାକୁଲମରୁ ଛାଡିବାକୁ ଥିବା ଏର୍ଣ୍ଣାକୁଲମ୍-ପାଟଣା ଏକ୍ସପ୍ରେସ୍, ୨୩ରେ ଆଜମେରରୁ ଛାଡିବାକୁ ଥିବା ଆଜମେର-ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅପରପକ୍ଷେ, ରେଳ ସମ୍ପତ୍ତି ନଷ୍ଟ ନ କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିବେଦନ କରିଛନ୍ତି । ଅନୁରୂପ ଭାବେ ପୂର୍ବତଟ ରେଳପଥର କାର୍ୟ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କୌଣସି ରେଳ ସମ୍ପତ୍ତି ନଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି ।
Powered by Froala Editor