ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ

କାଶ୍ମୀର ପଣ୍ଡିତ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସାଇ ପଲ୍ଲବୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଗାଇ ପାଇଁ ହେଉଥିବା ଭିଡ଼ ହିଂସା ଓ କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟାକୁ ସମାନ ବୋଲି କହିଥିଲେ। ଏହାପରେ ବିବାଦ ଉପୁଜିଥିଲା। ଆଜି ତାଙ୍କ ବିରୋଧରେ ବଜରଙ୍ଗ ଦଳର ନେତା ହାଇଦ୍ରାବାଦର ସୁଲତାନ ବଜାର ଥାନାରେ ମାମଲା ରୁଜୁ କରିଛନ୍ତି। ପୁଲିସ୍ ଏତଲାକୁ ଗ୍ରହଣ କରି ପଲ୍ଲବୀ ଯେଉଁ ସାକ୍ଷାତକାରରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ଓ ଭିଡ଼ ହିଂସା ସମ୍ପର୍କରେ ମତ ରଖିଥିଲେ, ତା’ର ଭିଡିଓକୁ ଯାଞ୍ଚ କରୁଛି। ଏହାପରେ ପୁଲିସ୍ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି।
ନିଜର ଆଗାମୀ ଫିଲ୍ମ ବିରାତା ପରଭମର ପ୍ରୋମସନ ପାଇଁ ପଲ୍ଲବୀ ଗୋଟିଏ ୟଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ କଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଗୋ ଚୋରାଚାଲାଣ ନାଁରେ ହେଉଥିବା ଲିଚିଂକୁ ତୁଳନା କରିଥିଲେ। ତାଙ୍କର ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ପଲ୍ଲବୀଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଦୁଇଟି ଘଟଣା ଆଦୌ ସମାନ ନୁହେଁ ବୋଲି କହିଛନ୍ତି।
ସାଇ ପଲ୍ଲବୀ କହିଥିଲେ “ମୁଁ ନିରପେକ୍ଷ ପରିବେଶରେ ବଡ ହୋଇଛି। ମୁଁ ବାମ ପନ୍ଥୀ ଓ ଦକ୍ଷିଣ ପନ୍ଥୀ ବିଷୟରେ ଅନେକ ଶୁଣିଛି। ହେଲେ କିଏ ଠିକ୍ କିଏ ଭୁଲ ମୁଁ କହିପାରିବି ନାହିଁ।” କାଶ୍ମୀର ଫାଇଲ୍ ଫି୍ଲ୍ମକୁ ଉଦାହରଣ ଦେଇ ସେ କହିଥିଲେ ” ଦି କାଶ୍ମୀର ଫାଇଲ ଫିଲ୍ମରେ ଦେଖାଯାଇଛି ଯେ କାଶ୍ମୀର ପଣ୍ଡିତଙ୍କୁ କିଭଳି ହତ୍ୟା କରାଯାଇଛି। ସେହିପରି କିଛି ସମୟ ପୂର୍ବରୁ ଜଣେ ମୁସଲମାନ ଲୋକ ଗାଈ ନେଇଯାଉଥିବା ଅଭିଯୋଗରେ ତାକୁ ନିର୍ମମ ଭାବରେ ପିଟାମରା କରି ତାଙ୍କୁ ଜୟ ଶ୍ରୀ ରାମ ନାରା ଲଗାଇବାକୁ କୁହାଯାଇଥିଲା। ଇଏ ବି ଧର୍ମ ନାଁରେ ହିଂସା। କଶ୍ମୀରରେ ଘଟିଥିବା ଘଟଣା ଓ ଏବେ ଘଟିଥିବା ଘଟଣା ମଧ୍ୟରେ କ’ଣ ଫରକ ରହିଛି? ଆମେମାନେ କାହାକୁ ବି ଧାର୍ମିକ ଦୃଷ୍ଟି କୋଣରୁ କେବେ ହେଲେ ଆଘାତ ଦେବା କଥା ନୁହେଁ।” ସାଇ ପଲ୍ଲବୀଙ୍କ ଏହି ସାକ୍ଷାତକାର ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor