ଲୋକସେବା ଭବନରେ ଭାବୀ ମନ୍ତ୍ରୀ, କିଛି ସମୟ ପରେ ଶପଥ ନେବେ ନବୀନଙ୍କ ନୂଆ ଟିମ

ଭୁବନେଶ୍ୱର: ଆଉ କିଛି ସମୟ ପରେ ନବୀନଙ୍କ ନୂଆ ଟିମ ଶପଥ ନେବେ । ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ସମ୍ଭାବନା ରହିଛି ।
ତେବେ ଏହାରି ଭିତରେ ଶପଥ ଉତ୍ସବ ଲାଗି ଭାବୀ ମନ୍ତ୍ରୀମାନେ ଲୋକସେବା ଭବନରେ ପହଞ୍ଚୁଥିବା ଜଣାଯାଇଛି । ଶେଷ ଖବର ସୁଦ୍ଧା ଟୁକୁନି ସାହୁ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶ୍ୱିନୀ ପାତ୍ର, ଅଶୋକ ପଣ୍ଡା, ପ୍ରତାପ ଦେବ, ନବ ଦାସ ପ୍ରମୁଖ ଲୋକସେବା ଭବନରେ ପହଞ୍ଚି ଥିବା ଜଣାଯାଇଛି ।
ଆଉ କିଛି ସମୟ ପରେ ରାଜ୍ୟ ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ଲୋକସେବା ଭବନର କନଭେନସନ୍ ହଲରେ ଭବ୍ୟ ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଆଜିର ଏହି ଶପଥ ପାଠ ଉତ୍ସବରେ ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇ ପାଇପାରନ୍ତି ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ନାଁ କ୍ୟାବିନେଟ ପାହ୍ୟା ରହିଥିବା ବେଳେ ତାଲିକାରେ ୮ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ । ଆଜି ଶପଥ ଉତ୍ସବ ହେବାକୁ ଥିବା ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବ। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ଜଣାଯାଇଛି।
ପ୍ରକାଶ ଯେ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ । ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର ଦାସଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ରହିଛି । ଅନ୍ୟପଟେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ।
Powered by Froala Editor