ସମଲିଙ୍ଗୀ ଦମ୍ପତି ଏକାଠି ରହିପାରିବେ, ଅନୁମତି ଦେଲେ କେରଳ ହାଇକୋର୍ଟ
ମଙ୍ଗଳବାର ଦିନ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି କେରଳ ହାଇକୋର୍ଟ । ଅଦିଲା ନସରିନ ନିଜ ସମଲିଙ୍ଗୀ ପାର୍ଟନରଙ୍କୁ ପାଇବା ପାଇଁ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ନସରିନ ତାଙ୍କ ଆବେଦନରେ କହିଥିଲେ ଯେ ସେ ଓ ତାଙ୍କ ପାର୍ଟନର ଫତିମା ନୋରାଙ୍କୁ ଉଭୟଙ୍କ ପରିବାର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି। ୬ ଦିନ ତଳେ ନୋରାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅପହରଣ କରି ନେଇଥିଲେ। ଫତିମା ନୋରା ତାଙ୍କ ସହ ରହିବା ପାଇଁ କେରଳର ଅଲୁଭାକୁ ରହିବା ପାଇଁ ଆସିଥିଲେ। ହେଲେ ତାଙ୍କୁ ଏଠାରୁ ଅପହରଣ କରାଯାଇଥିଲା ବୋଲି ନସରିନ କହିଥିଲେ।
ନସରିନ ବିଭିନ୍ନ ସ୍ଥାନରେ ନୋରାଙ୍କୁ ଖୋଜିଥିଲେ। ହେଲେ ତାଙ୍କର ପତ୍ତା ନ ମିଳିବାରୁ ମଙ୍ଗଳବାର ସକାଳେ ସେ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୋରାଙ୍କ ନିଖୋଜ ସଂକ୍ରାନ୍ତରେ ଆବେଦନ କରିଥିଲେ। କେରଳ ହାଇକୋର୍ଟ ପିଟିସନଙ୍କୁ ଗ୍ରହଣ କରିବା ସହ ନୋରାଙ୍କୁ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ କୋର୍ଟରେ ହାଜର ହେବା ପରେ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ ଚନ୍ଦ୍ରନ ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କୁ ଏକାଠି ରହିବାକୁ କେବେ ହେଲେ ବାରଣ କରାଯାଇ ପାରିବ ନାହିଁ। ତେଣୁ ନସରିନ ଓ ନୋରା ଏକାଠି ରହିବେ ବୋଲି କହିଛନ୍ତି।
୨୨ ବର୍ଷ ବୟସ୍କା ଅଦିଲା ଏବଂ ୨୩ ବର୍ଷ ବୟସ୍କା ଫତିମାଙ୍କ ମଧ୍ୟରେ ସାଉଦି ଆରବରେ ଛାତ୍ର ଦିନରେ ସାକ୍ଷାତ ହୋଇଥିଲା ଏବଂ ପରେ ସେମାନେ ଅଦାଲତରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସମ୍ପର୍କୀୟମାନେ ସେମାନଙ୍କ ସମ୍ପର୍କକୁ ବିରୋଧ କରିଥିଲେ।
Powered by Froala Editor