ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସେ ଏହି ପଦରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଦାୟିତ୍ୱମୁକ୍ତ କରାଯାଇଛି ।
ସାମ୍ବାଦିକତାରୁ ସଫଳ ରାଜନେତା ସାଜିଛନ୍ତି ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ ଥିଲେ, ରାଜନୀତିରେ ମଧ୍ୟ ସେତିକି ପ୍ରଭାବୀ । ୨୦୧୮ ମସିହାରେ ମାନସ ବିଜୁ ଜନତା ଦଳରେ ଯୋଗ ଦିଅନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ତାଙ୍କୁ ଅନୁପ୍ରାଣିତ କରେ । ରାଜ୍ୟର ବିକାଶ ପ୍ରକ୍ରିୟାରେ ନିମିତ୍ତ ସହଯୋଗ ନିମନ୍ତେ ବିଜେଡିର ସଦସ୍ୟତା ପଦ ଗ୍ରହଣ କରନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରନ୍ତି ।
ଦୀର୍ଘଦିନ ଧରି ଦଳରେ ସଚ୍ଚୋଟତାର ସହ କାର୍ୟ୍ୟ କରିଚାଲନ୍ତି ମାନସ । ରାଜନୈତିକ ଜୀବନ ଭିତରେ ସେ ଅନେକ ସଫଳତାର ପାହାଚ ଅତିକ୍ରମ କରିଆସିଛନ୍ତି । ଦଳର ବିଭିନ୍ନ କାର୍ୟ୍ୟକ୍ରମ, ସାଙ୍ଗଠନିକ ପକ୍ରିୟା, ନିର୍ବାଚନ ପକ୍ରିୟା ଆଦିରେ କାର୍ୟ୍ୟକରି ପ୍ରଶଂସା ସାଉଁଟନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ପାଣ୍ଠି ଠାରୁ ଆରମ୍ଭ କରି ରାଜ୍ୟରେ ବର୍ଷ ବର୍ଷ ଧରି ଖବର କାଗଜ ଯୋଗାଉଥିବା ହକରଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ଜୀବନ ବୀମା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସାଜିଥିଲେ ମୁଖ୍ୟ ନାୟକ । ।
ସବୁ ସମୟରେ ସବୁ ବର୍ଗଙ୍କ ଲାଗି ପ୍ରତିନିଧିତ୍ବ କରିଆସିଛନ୍ତି ମାନସ ମଙ୍ଗରାଜ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପୁନଶ୍ଚ ମାନସଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି ରାଜ୍ୟସଭା ସଦ୍ୟସ ପଦ । ୨୦୨୨ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ସାମ୍ବାଦିକରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି ।
Powered by Froala Editor