ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବି : ନିରଞ୍ଜନ ବିଶି
ଭୁବନେଶ୍ୱର : ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଆଦିବାସୀ ଓ ଦଳିତ ମାନଙ୍କ ପାଇଁ ଲଢୁଥିଲେ ଓ ଏବେ ସମସ୍ତ ସରକାରୀ ଯୋଜନାକୁ ସେ ଲୋକଙ୍କ ପାଖରେ ପହଞ୍ଚାଇବେ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି , ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ଲାଗି ଯୋଜନାମାନ କରିଛନ୍ତି । ଏବେ ସେହି ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବେ ।
ଆଜି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚାରି ନେତାଙ୍କ ନାମରେ ମୋହର ଲଗାଇଛନ୍ତି । ସସ୍ମିତ ପାତ୍ର ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ଏମିତିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ । କମ ବୟସରେ ସେ ରାଜ୍ୟସଭା ପରିଚାଳନାର ସୌଭାଗ୍ୟ ପାଇଥିଲେ ।
ଅପରପକ୍ଷରେ ମାନସ ମଙ୍ଗରାଜ ଉଭୟ ବିଜେଡ଼ି ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଥିଲେ । ଦଳର ମିଡ଼ିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସେହିପରି ସୁଲତା ଦେଓ ଦଳର ମୁଖପାତ୍ର ଭାବେ ଦୀର୍ଘଦିନ ଧରି କାର୍ୟ୍ୟ କରିଆସୁଛନ୍ତି । ଗତ ବିଏମସି ନିର୍ବାଚନରେ ସେ ମେୟର ପ୍ରାର୍ଥୀ ହେବେବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଅପରପକ୍ଷରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ପ୍ରାର୍ଥୀ କରାଯାଇଛି । ବଲାଙ୍ଗୀରର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ତାଙ୍କର ପରିଚିତି ରହିଛି । ସେ ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଭାବେ କାର୍ୟ୍ୟ କରୁଛନ୍ତି ।
Powered by Froala Editor