ସୁନା, ରୂପା ନୁହଁ ଚୋର ନେଇଗଲେ ଲେମ୍ବୁ, ଟମାଟୋ
ଦରଦାମ୍ ଏମିତି ବଢିଲାଣି ଯେ, ଲୋକେ ସୁନା ରୂପା ଛାଡି ପରିବା ଚୋରି କରିଲେଣି । ଏମିତି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗୁରୁଗ୍ରାମରେ ଥିବା ଗୋଟିଏ ପରିବା ହୋଲସେଲ ମାର୍କେଟରୁ ୧୦ ବସ୍ତା ଲେମ୍ବୁ, ୩୫ ପେଟି ଟମାଟୋ ଓ ୧୫ ପାଉଚ କ୍ୟାପସିକମ ଚୋରି ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ଭୋର ସମୟ ମଧ୍ୟରେ ଏପରି ଚୋରି ହୋଇଛି।
ଚୋରି ସମ୍ପର୍କରେ ଚାରଖି ଦାଦ୍ରୀରେ ରହୁଥିବା ଡ୍ରାଇଭର ସନ୍ଦୀପ ପ୍ରଥମେ ପୁଲିସ୍କୁ ସୂଚନା ଦେଇଥିଲେ। ସେ ଗୁରୁବାର ଖାଣ୍ଡସା ମାର୍କେଟର ଦୋକାନ ନଂ ୬୪ରେ ଲେମ୍ବୁ, ଟମାଟୋ ଓ କ୍ୟାପସିକମ ରଖିଥିଲେ। ହେଲେ ତା’ ପରଦିନ ସକାଳୁ ଦୋକାନର ଶଟର ଖୋଲା ଥିବା ସେ ଦେଖିଥିଲେ। ଏଥିସହ ସେ ଗଚ୍ଛିତ କରିଥିବା ପରିବା ମଧ୍ୟରୁ କିଛି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ସନ୍ଦୀପ କହିଛନ୍ତି, ପରିବା ଓ ଲେମ୍ବୁର ଦାମ ଏବେ ଅଧିକ ରହିଛି। ଦାମ ଅନୁଯାୟୀ ପ୍ରାୟ ୬୦ରୁ ୭୦ ହଜାର ଟଙ୍କାର ପରିବା ରହିଥିଲା। ଖୁଚୁରା ବଜାରରେ ଏଗୁଡ଼ିକ ପ୍ରାୟ ୧.୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା ବୋଲି ସେ କହିଛନ୍ତି। ସମ୍ଭବତଃ ଏହି କାରଣ ପାଇଁ କେହି ଏହାକୁ ଚୋରି କରି ନେଇଛନ୍ତି।
Powered by Froala Editor