ବରଗଡ଼ର ବିକାଶ ମଲ୍ଟି ସ୍ପେଗ୍ଧସାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ
ବରଗଡ଼: ପଶ୍ଚିମ ଓଡ଼ିଶାର କୋଭିଡ୍-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଗ୍ଧସାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାମାରୀର ମୁକାବିଲା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଡିଭିଆର ଏବଂ ଜିଆରସିଆର ମେମୋରିଆଲ ଟ୍ରଷ୍ଟ ସହଯୋଗରେ ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ବେଡର ଅପଗ୍ରଡେସନ କରିବା ସହ ଆନୁସଙ୍ଗିକ ଉପକରଣର ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।
ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ -୧୯ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବରଗଡ଼ରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। କର୍ପୋରେଟ୍ ଅନୁଷ୍ଠାନମାନେ ଟେଷ୍ଟିଂ ବଢାଇବା, ନିଜ ବ୍ୟବସ୍ଥାରେ ଟିକାକରଣ ସୁବିଧା କରିବା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କର୍ପୋରେଟ୍ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଆରମ୍ଭ ହେଉଥିବା ଟିକାକରଣ ବ୍ୟବସ୍ଥାରେ ବରଗଡ଼ ଜିଲ୍ଲାକୁ ସାମିଲ କରାଯାଇଛି। ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ବ୍ୟବସ୍ଥା ବ୍ୟତୀତ କର୍ପୋରେଟ୍ ଅନୁଷ୍ଠାନମାନେ ୧+୧ ଟିକା ଅର୍ଥାତ୍ ନିଜ କର୍ମଚାରୀଙ୍କୁ ଟିକା ଦେବା ସହ ଅସହାୟ ଲୋକଙ୍କୁ ଟିକା ଦେବାର ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
Powered by Froala Editor