ଅରେଞ୍ଜ ଆଲର୍ଟ ଜାରି, କେଦାରନାଥ ଯାତ୍ରା ସ୍ଥଗିତ

ଅଚାନକ ପାଗ ବିଗିଡିବାରୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ପରେ ସୋମବାର ସକାଳଠୁ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଲଗାଣ ବର୍ଷା ଲାଗି ରହିଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି। ଯାତ୍ରା ବନ୍ଦ ହେବା ପରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରକୁ ନ ଯାଇ ନିଜ ହୋଟେଲକୁ ଫେରିଯିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ହେଲିକପ୍ଟର ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ରୁଦ୍ରପ୍ରୟାଗ ସର୍କିଲ ଅଫିସର ପ୍ରମୋଦ କୁମାର କହିଛନ୍ତି, ସୋମବାର ସକାଳେ ସୋନପ୍ରୟାଗରରୁ ସକାଳ ୮ଟା ସୁଦ୍ଧା ୮୫୩୦ ଯାତ୍ରୀ କେଦାରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ କେଦାରଘାଟି ଏବଂ କେଦାରନାଥରେ ପ୍ରବଳ ବର୍ଷା ଏବଂ ଘନ କୁହୁଡି କାରଣରୁ ତତ୍କାଳ ପ୍ରଭାବରୁ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏହି ସମୟରେ ରୁଦ୍ରପ୍ରୟାଗରୁ ଗୁପ୍ତକାଶୀ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପାଞ୍ଚ ହଜାର ଯାତ୍ରୀଙ୍କୁ ରୋକି ଦିଆଯାଇଛି। ସୋନପ୍ରୟାଗରେ ୨୦୦୦ ଏବଂ ଗୌରୀକୁଣ୍ଡରେ ୩୨୦୦ ଯାତ୍ରୀଙ୍କୁ ଅଟକାଇ ଦିଆଯାଇଛି। ସୋମବାର ଦିନ ସାରା ବର୍ଷା ଲାଗି ରହିଥିବାରୁ ରାସ୍ତାରେ ଯିବା ବିପଦଜ୍ଜନକ ହୋଇପାରେ ବୋଲି କର୍ତ୍ତୃପକ୍ଷରୁ ସତର୍କ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଚଳିତ ମାସରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ଖୋଲାଯିବା ସହ ଚାରଧାମ ଯାତ୍ରା ଆରମ୍ଭ ହୋଇଥିଲା । କେଦାରନାଥ ମନ୍ଦିରର ଦ୍ବାର ମେ’ ୬ରେ ଖୋଲା ଯାଇଥିବାବେଳେ ବଦ୍ରିନାଥଙ୍କ ଦ୍ୱାର ମେ’ ୮ରେ ଖୋଲା ଯାଇଥିଲା ।
Powered by Froala Editor