ନନ୍ଦନକାନନରେ ପର୍ୟ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର: ନନ୍ଦନକାନନ ପରିସରରେ ପର୍ୟ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କଲେ କର୍ମଚାରୀ। ଗୋଡ଼ାଇ ଗୋଡ଼ାଇ ପିଟିଲେ। ଲହୁ ଲୁହାଣ ବି କଲେ । ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ପର୍ୟ୍ୟଟକ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଗତକାଲି ଅପରାହ୍ନରେ ଏପରି ଘଟଣା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଘଟିଥିଲା।
ଛତିଶଗଡ଼ରୁ ଆସିଥିବା ପ୍ରାୟ ୨୬ ପର୍ୟ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ୟ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ୟ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ ସେମାନଙ୍କୁ ଠେଲାପେଲା କରିଥିଲେ ।
ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ। ପରେ ସେମାନେ ମିଳିତ ଭାବେ ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ୟ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି ।
Powered by Froala Editor