ବରଯାତ୍ରୀ ଗାଡି ଓଲଟି ୭ ଗୁରୁତର
ରାଇରଙ୍ଗପୁର : ବରଯାତ୍ରୀ ଗାଡି ଓଲଟି ୭ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଜଙ୍ଗଲଭିୟୁ ହୋଟେଲ ନିକଟରେ ଏଭଳି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ବାହାଘର ସାରି ୧୩ ଜଣ ବରଯାତ୍ରୀ ଏକ ସବାରୀ ଗାଡି ଯୋଗେ ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ । ସକାଳ ସମୟରେ ଗାଡି ଚାଳକଙ୍କ ଆଖି ଲାଖିଯିବା ଫଳରେ ଜଙ୍ଗଲଭିୟୁ ହୋଟେଲ ପାଖାପାଖି ଗାଡ଼ିଟି ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ୭ ଜଣ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡିଛି।
ଆହତ ଯୁବକମାନେ କୁସୁମବନ୍ଧ ଗ୍ରାମର ଅବିନାଶ ସେଠୀ, ଦୀପକ ଦେହୁରୀ, ବୁଧୁରାମ ବେହେରା, ଶ୍ରୀକାନ୍ତ ବେହେରା, ଜଗନ୍ନାଥ ବେହେରା, ଗୌତମ ବେହେରା ଓ ହେମନ୍ତ ବେହେରା ବୋଲି ପରିଚୟ ମିଳିଛି। ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।
Powered by Froala Editor