ବାତ୍ୟା ଅପଡେଟ: ଗୋପାଳପୁରଠୁ ୭୮ କି.ମି ଦୂରରେ ଯିବ ଅସାନୀ
ଭୁବନେଶ୍ଵର,: ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କି.ମି ଏବଂ ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କି.ମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା ଅସାନୀ। ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨କି.ମି ରହିଛି। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା। ଏହା ଓଡ଼ିଶା ଉପକୂଳ ଦେଇ ଗଭୀର ଅବପାତ ଅବସ୍ଥାରେ ଗତି କରିବ। ୧୨ ତାରିଖ ପୂର୍ବାହ୍ନରେ ଗୋପାଳପୁର ଠାରୁ ୭୮ କି.ମି ଦୂରରେ ଅତିକ୍ରମ କରିବ ବାତ୍ୟା। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ତେବେ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ। କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ ରୁ ୧୧ ସେ.ମି ବର୍ଷା ହୋଇପାରେ। ତେବେ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ବହିବା ନେଇ କୌଣସି ସୂଚନା ନାହିଁ।
ଅପର ପକ୍ଷରେ ସମ୍ଭାବ୍ୟ ବାତ୍ୟା ପାଇଁ ବନ୍ଦର ଗୁଡ଼ିକରେ ବିପଦ ସଙ୍କେତ ଜାରି କରାଯାଇଛି। ଗୋପାଳପୁର ବନ୍ଦର ପାଇଁ ୩ ନମ୍ଵର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପୁରୀ, ଚାନ୍ଦବାଲି, ଧାମରା ଓ ପାରାଦୀପ ବନ୍ଦର ପାଇଁ ୨ ନମ୍ଵର ବିପଦ ସଙ୍କେତ ଜାରି କରାଯାଇଛି।
Powered by Froala Editor