ପରଲୋକରେ ଅଭିନେତା ମୋହନ ଜୁନେଜା
ମୁମ୍ବାଇ: ଟଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ ଅଭିନେତା ତଥା କେଜିଏଫ୍-୨ର ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ ଘଟିଛି । ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୋହନ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ତାଙ୍କ ପରଲୋକ ଖବର ପାଇବା ପରେ ପୂରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ୍ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବିଳମ୍ବିତ ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଶେଷ ଯାତ୍ରାରେ ହଜାର ହଜାର ଫ୍ୟାନ୍ ଓ ପ୍ରଶଂସକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
ଜୁନେଜା କେଜିଏଫ୍-୧ ଓ କେଜିଏଫ୍-୨ ଉଭୟ ଫିଲ୍ମରେ ଅଭିନୟ କରିଥିଲେ । କେଜିଏଫ୍-୨ରେ ସାମ୍ବାଦିକ ଆନନ୍ଦଙ୍କ ଇନ୍ଫର୍ମର ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଦର୍ଶକ ତାଙ୍କ ନିଖୁଣ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ।
ହାସ୍ୟାଭିନେତା ଭାବେ ଜୁନେଜା ଜଣାଶୁଣା ଥିଲେ । ଇତିମଧ୍ୟରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତାମିଲ, ତେଲୁଗୁ, ମଲାୟାଲମ୍ ଓ ହିନ୍ଦୀ ଭାଷାରେ ସେ କାମ କରିଛନ୍ତି । ସବୁଥିରେ ଇଣ୍ଡଷ୍ଟ୍ରିରେ ଦର୍ଶକ ତାଙ୍କୁ ଦେଇଛନ୍ତି ଢେର ସାରା ଭଲ ପାଇବା ।
ମୋହନ ପିଲାଦିନୁ ଅଭିନେତା ହେବାକୁ ଚାହୁଁଥିଲେ । କଲେଜ ସମୟରେ ସେ ନାଟକରେ ଭାଗ ନେଉଥିଲେ । ୨୦୦୮ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ କନ୍ନଡ ତାମିଲ ଫିଲ୍ମରେ ‘ଟ୍ୟାକ୍ସି ନମ୍ବର’ରେ ଅଭିନୟ କରିଥିଲେ । ୨୦୧୦ରେ ସେ କନ୍ନଡ ଭାଷା ନାଟକ ‘ନାରଦ ବିଜୟା’ରେ ତାଙ୍କ ଜଲଓ୍ବା ଦେଖାଇଥିଲେ । ଜୁନେଜା କନ୍ନଡ ଫିଲ୍ମ ପାଇଁ ଜଣାଶୁଣା ଥିଲେ । ୨୦୧୮ରେ ସେ କନ୍ନଡ ଭାଷାର ହରର୍ ଫିଲ୍ମ ‘ନିଗୁଡା’ରେ କାମ କରିଥିଲେ ।
Powered by Froala Editor