ଆଇନ ଜାଲରେ 'ଜୟେଶଭାଇ ଜୋରଦାର'
ମୁମ୍ବାଇ: ଆଇନ ଜାଲରେ ଛନ୍ଦି ହୋଇଛି ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ 'ଜୟେଶଭାଇ ଜୋରଦାର' । ଏହାର ଟ୍ରେଲ୍ର ରିଲିଜ୍ ହେବା ପରେ ଉପୁଜିଛି ବିବାଦ । ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଛି ।
'ଜୟେଶଭାଇ ଜୋରଦାର' ଫିଲ୍ମରେ ଏକ ସିନ୍ ରହିଛି ଯେଉଁଥିରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରାଯାଉଛି । ଟ୍ରେଲ୍ରରେ ଏହାର ଦୃଶ୍ୟ ଦେଖିବାକୁ ମିଳୁଛି । ଦର୍ଶକ ଏହାକୁ ଖୁବ୍ ପସନ୍ଦ କରୁଥିଲେ ମଧ୍ୟ ବୁଦ୍ଧିଜୀବୀମାନେ ବିରୋଧ କରିଛନ୍ତି । ଏହି ସିନ୍ ଫିଲ୍ମରୁ ହଟାଇବାକୁ ସେମାନେ ଦାବି କରି ଆଇନର ଆଶ୍ରୟ ନେଇଛନ୍ତି । ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିପିନ୍ ସାଙ୍ଗି ଓ ଜଷ୍ଟିସ୍ ନବୀନ ଚାୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।
ରଣବୀର ସିଂହ ଜୟେଶଭାଇ ପଟେଲ୍ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ସେ ଜଣେ ଗୁଜରାଟୀ ବ୍ୟକ୍ତି ଭାବେ ଅଭିନୟ କରିଛନ୍ତି । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶାଲିନୀ ପାଣ୍ଡ। ଫିଲ୍ମରେ ତାଙ୍କ ଚରିତ୍ରର ନାମ ରହିଛି ମୁଦ୍ରା ପଟେଲ । ବିବାହର କିଛି ଦିନ ପରେ ମୁଦ୍ରା ଗର୍ଭବତୀ ହୋଇଛନ୍ତି । ଏହାପରେ ତାଙ୍କ ଗର୍ଭର ଲିଙ୍ଗ ନିରୁପଣ କରିବାକୁ ପରିବାର ଲୋକେ ବାଧ୍ୟ କରନ୍ତି । ଏହାକୁ ସେ ବିରୋଧ କରୁଛନ୍ତି । ହେଲେ ପରିବାର ଲୋକଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଅନ୍ତି । ଶେଷରେ ଗର୍ଭସ୍ଥ ଭ୍ରୁଣର ଲିଙ୍ଗ ନିରୁପଣ କରାଯାଏ । ଲିଙ୍ଗ ପରୀକ୍ଷା ପରେ କନ୍ୟା ସନ୍ତାନ ବୋଲି ଜଣାପଡ଼େ । ଏହାପରେ ଆରମ୍ଭ ହୋଇଯାଏ ସଂଘର୍ଷ । ଗର୍ଭସ୍ଥ ଶିଶୁର ଜୀବନ ବଞ୍ଚାଇବାକୁ ମୁଦ୍ରାଙ୍କୁ ଅନେକ କିଛି କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼େ । ଏଭଳି ଭାବେ ଫିଲ୍ମର କାହାଣୀ ଗତିଶୀଳ । ନିୟମ ଅନୁଯାୟୀ, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ବେଆଇନ ହୋଇଥିବାରୁ ତୁରନ୍ତ ଏହି ସିନ୍ ହଟାଇବାକୁ ବିଭିନ୍ନ ମହଲରେ ଦାବି ଉଠିଛି ।
Powered by Froala Editor