ବାତ୍ୟା ଅପଡେଟ: ଆଇଏମଡି ଡିଜି କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ବାତ୍ୟା ଡର ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବାତ୍ୟା ହେବ କି ନାହିଁ ସେ ସମ୍ପର୍କରେ ସମସ୍ତେ ଦ୍ୱନ୍ଦ୍ୱରେ ଥିବାବେଳେ ଏବେ ବାତ୍ୟା ହେବ ବୋଲି ନିଶ୍ଚିତ କରାଯାଇଛି । ତେବେ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ କିଛି ଆକଳନ କରାଯାଇନାହିଁ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଆସନ୍ତାକାଲି ଅର୍ଥାତ ଶନିବାର ଅବପାତର ରୂପ ନେବ । ଅବପାତଟି ୮ ତାରିଖ ସନ୍ଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ । କ୍ରମେ ଏହା ୧୦ ତାରିଖ ସୁଦ୍ଧ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ଓ କେବେ ଛୁଇଁବ ସେ ନେଇ କିଛି ଆକଳନ ହୋଇନାହିଁ । ଆସନ୍ତାକାଲି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ଉଚିତ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ସମ୍ପର୍କରେ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି ଯେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅର୍ଥାତ ଶନିବାର ଅବପାତରେ ପରିଣତ ହୋଇପାରେ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ନେଇ ସମ୍ଭାବନା ରହିଛି । କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ରୂପାନ୍ତର ହେବ । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ଆସନ୍ତା ୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁପାରେ । ତେବେକେଉଁ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବ ସେ ନେଇ ଆକଳନ ହୋଇନାହିଁ ।
Powered by Froala Editor