ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ: ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ ଗିରଫ
ଥିରୁବନ୍ତପୁରମ୍: ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ । ମୁସ୍ଲିମ୍ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଗିରଫ ହୋଇଛନ୍ତି କେରଳର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ନେତା ପିସି ଜର୍ଜ । କୋଟାୟାମ ଜିଲ୍ଲାର ଏରାଟୁପେଟାସ୍ଥିତ ଜର୍ଜଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ପିସି ଜର୍ଜ ଶୁକ୍ରବାର ଅନନ୍ତପୁରୀ ହିନ୍ଦୁ ମହାସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ସେ ଅଭିଭାଷଣରେ କହିଥିଲେ, ମୁସ୍ଲିମ୍ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ରେସ୍ତୋରାଁରୁ ଅଣମୁସଲିମ୍ମାନେ ଦୂରେଇ ରୁହନ୍ତୁ । ମୁସଲମାନମାନଙ୍କ ଦ୍ୱାରା ପରିଚାଳିତ ରେସ୍ତୋରାଁଗୁଡିକରେ ‘ନପୁଂସକତା’ ଔଷଧ ମିଶିଥିବା ଚା’ ବିକ୍ରି କରାଯାଉ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଦେଶ ଉପରେ ନିୟନ୍ତ୍ରଣ ହାସଲ କରିବା। ଲୋକଙ୍କଠାରୁ ସନ୍ତାନପ୍ରାପ୍ତିର କ୍ଷମତା ଛଡାଇନେବା ପାଇଁ ଏଭଳି କରାଯାଉଥିବା ସେ ଅଭିଯୋଗ କରିଥିଲେ ।
ଜର୍ଜଙ୍କ ଏହି ବକ୍ତବ୍ୟକୁ ଜୋର୍ଦାର ବିରୋଧ କରାଯାଇଥିଲା । ବହୁ ବୁଦ୍ଧିଜୀବୀ ଓ ରାଜନେତାମାନେ ଏହାକୁ ସମାଲୋଚନା କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ । ଏନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ କରାଯାଇଥିଲା । ଶେଷରେ ପୁଲିସ୍ ଜର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ରବିବାର ତାଙ୍କୁ ବାସଭବନରୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି । ଆଇପିସି ୧୫୩ (ଏ) ଜରିଆରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
Powered by Froala Editor