ପୁଣି ଫାଟିଲା ଇଲେକ୍ଟ୍ରିକ୍ ବାଇକ୍ ବ୍ୟାଟେରୀ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଏକ ଇଲେକ୍ଟ୍ରିକ୍ ବାଇକ୍ର ବ୍ୟାଟେରୀ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଆହତ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ସହରରେ ଘଟିଛି ଏହି ଘଟଣା।
ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଶିବ କୁମାର । ଶୁକ୍ରବାର ଦିନ ଶିବ କୁମାର ଏହି ଇଲେକ୍ଟ୍ରିକ୍ ବାଇକ୍ କିଣିଥିଲେ। ସେହିଦିନ ରାତିରେ ଗାଡ଼ିର ବ୍ୟାଟେରୀକୁ ସେ ଶୋଇବା ଘରେ ଚାର୍ଜରେ ବସାଇଥିଲେ। ଭୋର ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା। ଏଥିରେ ୪୦ ବର୍ଷିୟ ଶିବ କୁମାରଙ୍କ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ପତ୍ନୀ ଜଳିଯାଇଛନ୍ତି । ସେ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କର ଦୁଇ ପିଲା ଶ୍ବାସରୁଦ୍ଧ ହୋଇଯାଇଥିଲେ । ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି ।
ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି। ଇଭି କମ୍ପାନୀ ସହିତ କଥାବାର୍ତ୍ତା ହୋଇଛି। ସେମାନେ ଘଟଣାସ୍ଥଳ ପରିଦର୍ଶନ କରି ବ୍ୟାଟେରୀଟି କାହିଁକି ଫାଟିଲା, ତା’ର ଯାଞ୍ଚ କରିବେ। ବିଦ୍ୟୁତ୍ ଶର୍ଟସର୍କିଟ୍ ଯୋଗୁ ବ୍ୟାଟେରୀ ଫାଟିଲା, ନା ଆଉ କିଛି ଘଟିଛି, ତା’ର ତଦନ୍ତ ସେମାନେ କରିବେ।
Powered by Froala Editor