ଦୁଇ ବିଜେଡି ନେତାଙ୍କୁ ହତ୍ୟା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡିରେ ଦୁଇ ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର।
ଗତକାଲି ରାତି ପ୍ରାୟ ୮ଟା ବେଳେ ଗାଁ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତାର ଦୁଇ ପାର୍ଶ୍ୱରେ ପଡ଼ିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ଦେଖିଥିଲେ। ଟ୍ରାକ୍ଟର ଡ୍ରାଇଭର ଏ ସଂପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ସୁଧୀର ପାତ୍ରଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତକ ଦ୍ୱୟଙ୍କ ପରିବାର ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ପଞ୍ଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ହୋଇଥିବା ଗୋଷ୍ଠୀ ମଧ୍ୟରେ ଏକ ବୈଠକ ପନାଡ଼ ଗାଁରେ ବସିଥିଲା। ଏଥିରେ ସୁଧୀର ଓ ସୁଦର୍ଶନ ଯୋଗ ଦେଇଥିଲେ। ସେମାନେ ବିଜୟୀ ଗୋଷ୍ଠୀର ସଦସ୍ୟ ଥିଲେ। ବୈଠକ ପରେ ସୁଧୀରଙ୍କ ବାଇକ୍ରେ ଉଭୟେ ସେଠାରୁ ଫେରିଥିଲେ। ତେବେ ପାଳଝଡ଼ି ଗାଁ ନିକଟସ୍ଥ ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତା ନିକଟରେ ସେମାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ।
ସୁଧୀର ଓ ସୁଦର୍ଶନଙ୍କୁ ରାଜନୀତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କାରଣ ପରାଜିତ ପ୍ରାର୍ଥୀ ସେମାନଙ୍କୁ ବିଭିନ୍ନ ସମୟରେ ଧମକଚମକ ଦେଇଥିଲେ।
Powered by Froala Editor