‘ଡଙ୍କି’ ପାଇଁ ଏକାଠି ହେଲେ ଶାହରୁଖ ଖାନ୍ ଓ ରାଜକୁମାର ହିରାନୀ
ଦୀର୍ଘ ଦିନ ପରେ ଏକାଠି ହୋଇଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ ରାଜକୁମାର ହିରାନୀ ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିବା ସହିତ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି 'ଡଙ୍କି'। ଏହା ଆସନ୍ତାବର୍ଷ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ।
ଉଭୟ ଶାହାରୁଖ ଓ ରାଜକୁମାର ହିରାନୀ ଏକ ଭିଡିଓ ଜରିଆରେ ସେମାନଙ୍କର ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ଏହି ଭିଡିଓରେ ଉଭୟ ଶାହରୁଖ ଓ ହିରାନୀଙ୍କୁ ଦେଖିବାକୁ ମିଳିଛି। ସେ ରାଜକୁମାର ହିରାନୀଙ୍କ କିଛି ଫିଲ୍ମର ପୋଷ୍ଟର ସମ୍ମୁଖରେ ଛିଡ଼ା ହୋଇଛନ୍ତି। ସେହି ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି- ଆମୀର ଖାନ୍ଙ୍କ ଅଭିନୀତ ‘ପିକେ’ ଓ ‘ଥ୍ରୀ ଇଡିୟଟସ୍’, ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ମୁନ୍ନା ଭାଇ ଏମ୍ବିବିଏସ୍’ ଏବଂ ରଣବୀରଙ୍କ ଅଭିନୀତ ‘ସଞ୍ଜୁ’। ଏଗୁଡ଼ିକୁ ଦେଖି ଶାହରୁଖ କହିଛନ୍ତି, ବାଃ, କେତେ ବଢ଼ିଆ ବଢ଼ିଆ ଫିଲ୍ମ। ଏହି ସମୟରେ ଏଣ୍ଟ୍ରି କରିଛନ୍ତି ରାଜକୁମାର ହିରାନୀ। ସେ ଶାହରୁଖଙ୍କୁ ପଚାରିଛନ୍ତି, କ’ଣ ଦେଖୁଛ? ଶାହରୁଖ କହିଛନ୍ତି- କିଛି ନାହିଁ ସାର୍। ରଣବୀର କପୁର ‘ସଞ୍ଜୁ’ରେ ଅଛନ୍ତି। ଆମୀର ‘ପିକେ’ ହୋଇଛନ୍ତି। ସଞ୍ଜୁବାବ ‘ମୁନ୍ନା ଭାଇ ଏମ୍ବିବିଏସ୍’ ହୋଇଛନ୍ତି। ବାଃ, ଚମତ୍କାର ସାର୍। ସାର୍ ମୋ ପାଇଁ ବି ଏମିତି କିଛି ଅଛି କି?
ଏହା ପରେ ରାଜକୁମାର ହିରାନୀ କହିଛନ୍ତି- ମୋ ପାଖରେ ଗୋଟିଏ କାହାଣୀ ଅଛି। ଏହା ପରେ ଶାହରୁଖ କହିଛନ୍ତି, ସାର୍, ଫିଲ୍ମର ନାଁ କ’ଣ? ରାଜ କୁମାର ହିରାନୀ କହିଛନ୍ତି, ‘ଡଙ୍କି’। ଏହା ପରେ ଶାହରୁଖ କିଛି ନିଆରା ଅନ୍ଦାଜରେ ଏକ୍ସପ୍ରେସନ ଦେଇଛନ୍ତି ।
Powered by Froala Editor