ମନୋଜ ଦାସଙ୍କର ସ୍ମୃତିରେ ପ୍ରଦାନ କରାଯିବ 'ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର'
ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ 'ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର' ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ଦିଆଯିବ। ଯୁବପୀଢି ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ 'ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ' ପ୍ରଦାନ କରାଯିବ। ଏଥିନିମନ୍ତେ ଉଭୟ ଓଡ଼ିଆ ଓ ଇରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦ ଏକ ଲଷ ଟଙ୍କା ପ୍ରଦାନ କରାଯିବ ।
ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମ ସ୍ଥାନ ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ବୟ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ 'ମନ୍ମଥ-ମନୋଜ ସ୍ମାରକୀ' ଭାବରେ ଘୋଷଣା କରାଯିବ। ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ବାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ।
Powered by Froala Editor