ଆଜି ଓଡ଼ିଆ ନବବର୍ଷ
ଭୁବନେଶ୍ୱର: ଆଜି ଓଡ଼ିଆ ନବବର୍ଷ ବା ମହାବିଷୁବ ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ରାଜଧାନୀବାସୀ । ହନୁମାନଙ୍କ ଜୟନ୍ତୀ ଲାଗି ସଜେଇ ହୋଇଛି ମନ୍ଦିର। ଦୀର୍ଘ ଦୁଇ ବର୍ଷ ପରେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ ଏଥର ଓଡ଼ିଆ ନବବର୍ଷକୁ ଧୁମ୍ଧାମରେ ପାଳନ କରିବାକୁ ସବୁଠି ଯୋଜନା ହୋଇଛି । କୋଭିଡ୍ କଟକଣା ଉଠି ଯାଇଥିବାରୁ ବିଭିନ୍ନ ହନୁମାନ ଓ ରାମ ମନ୍ଦିରରେ ଜମିବ ଭିଡ଼। ତା’ ସହିତ ଘରେ ଘରେ ଏହାକୁ ପାଳନ କରିବେ ।
ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ । ଏହି ସମୟରେ ସୂର୍ୟ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ । ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ଛତୁ ଓ ପଣା ଭୋଗର ବିଧି ରହିଛି ।ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ ।
Powered by Froala Editor